Sasmit patra 1

ଭୁବନେଶ୍ୱର: ଦିନକୁ ଦିନ ଆକାଶଛୁଆଁ ହେଉଥିବା ଇନ୍ଧନ ଦର ଏବଂ ବଢ଼ୁଥିବା ମୁଦ୍ରାସ୍ଫୀତି ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗିଦେଲାଣି। ଏହି ଜ୍ୱଳନ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ଡକ୍ଟର ସସ୍ମିତ ପାତ୍ର। ପେଟ୍ରୋଲ ଏବଂ ଡିଜେଲକୁ ତୁରନ୍ତ ଦ୍ରବ୍ୟ ଓ ସେବା କର (GST) ଢାଞ୍ଚା ଅଧୀନକୁ ଆଣିବା ପାଇଁ ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖି ଦାବି ଜଣାଇଛନ୍ତି। ଆଗାମୀ ଜିଏସଟି ପରିଷଦ ବୈଠକରେ ଏହି ଦୀର୍ଘ ଦିନର ପ୍ରଲମ୍ବିତ ପ୍ରସଙ୍ଗକୁ ଉପସ୍ଥାପନ କରିବାକୁ ସେ ଅନୁରୋଧ କରିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସସ୍ମିତ ପାତ୍ର ଦର୍ଶାଇଛନ୍ତି ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ପ୍ରସଙ୍ଗରେ ଏକ “ବ୍ୟାପକ ଆଲୋଚନା ଏବଂ ସହମତି” ସୃଷ୍ଟି କରାଯିବା ଆବଶ୍ୟକ। ଆଗାମୀ ଜିଏସଟି କାଉନସିଲ୍ ବୈଠକରେ ଏହାକୁ ଏକ ଔପଚାରିକ ଏଜେଣ୍ଡା ଭାବେ ଗ୍ରହଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ସମ୍ବିଧାନର ଉଦାହରଣ ଦେଇ ସାଂସଦ ସସ୍ମିତ ପାତ୍ର ସ୍ପଷ୍ଟ କରିଛନ୍ତି ଯେ, ସମ୍ବିଧାନରେ ପେଟ୍ରୋଲିୟମ୍ ସାମଗ୍ରୀକୁ ଜିଏସଟି ପରିସରଭୁକ୍ତ କରିବାର ପୂର୍ଣ୍ଣ ବ୍ୟବସ୍ଥା ରହିଛି। ସମ୍ବିଧାନର ଧାରା ୨୭୯କ (Article 279A) ଜିଏସଟି ପରିଷଦକୁ କ୍ଷମତା ପ୍ରଦାନ କରିଛି ଯେ, ପରିଷଦ ଚାହିଁଲେ କେଉଁ ଦିନଠାରୁ ଏହି ନିୟମ ଲାଗୁ ହେବ, ତାହାର ତାରିଖ ସୁପାରିଶ କରିପାରିବ।

ଇନ୍ଧନ ଦର ବୃଦ୍ଧିର ପ୍ରଭାବ କେବଳ ଗାଡ଼ି ଚାଳକଙ୍କ ଉପରେ ପଡ଼ୁନାହିଁ, ବରଂ ଏହା ସମଗ୍ର ଅର୍ଥନୀତିକୁ ପ୍ରଭାବିତ କରୁଛି। ତେଲ ଦର ଅଧିକ ହୋଇଥିବା ଯୋଗୁଁ ରାଜ୍ୟ ତଥା ଦେଶରେ ପରିବହନ ଖର୍ଚ୍ଚ ଆଶାତୀତ ଭାବେ ବୃଦ୍ଧି ପାଉଛି। ଫଳରେ ଖାଦ୍ୟଶସ୍ୟ, ପନିପରିବା ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟି ସାଧାରଣ ଘରୋଇ ବଜେଟ୍ ସମ୍ପୂର୍ଣ୍ଣ ଦୋହଲି ଯାଉଛି ବୋଲି ସାଂସଦ ଦର୍ଶାଇଛନ୍ତି।

ଏହାବ୍ୟତୀତ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ବାହାରେ ରଖାଯାଇଥିବାରୁ ଏହା ଉପରେ ବିଭିନ୍ନ ରାଜ୍ୟ ସରକାର ନିଜ ନିଜ ହିସାବରେ ଭ୍ୟାଟ୍ (VAT) ଟିକସ ଲଗାଉଛନ୍ତି। ଏହି କାରଣରୁ ଗୋଟିଏ ଦେଶ ହୋଇ ମଧ୍ୟ ରାଜ୍ୟକୁ ରାଜ୍ୟରେ ତେଲ ଦରରେ ବ୍ୟାପକ ତାରତମ୍ୟ ଦେଖାଦେଉଛି। ଏଭଳି ସ୍ଥିତି ଉଭୟ ସାଧାରଣ ଲୋକ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦି ପେଟ୍ରୋଲିୟମ୍ ସାମଗ୍ରୀ ଜିଏସଟି ପରିସରଭୁକ୍ତ ହୁଏ, ତେବେ ସମଗ୍ର ଦେଶରେ ‘ଗୋଟିଏ ଟିକସ, ଗୋଟିଏ ଦର’ ଲାଗୁ ହୋଇପାରିବ ଏବଂ ଲୋକେ ବହୁ ମାତ୍ରାରେ ଆଶ୍ୱସ୍ତି ପାଇବେ।

Share