Anu garg

ଭୁବନେଶ୍ୱର  : ରାଜ୍ୟରେ ତୈଳ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ ଅନୁ ଗର୍ଗ ।  ରାଜ୍ୟରେ ନାହିଁ ତୈଳ ଅଭାବ, ସ୍ଥିତି ସ୍ବାଭାବିକ ରହିଛି ।  ପେଟ୍ରୋଲ ପମ୍ପରେ ଭିଡ଼ ନକରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି ।  ନିୟମିତ ସ୍ଥିତି ମନିଟର କରିବାକୁ ତୈଳ କଂପାନୀଙ୍କୁ ନିର୍ଦ୍ଦେଶ ରହିଛି । ରାଜ୍ୟରେ ତେଲର ଅଭାବ ନଥିଲା । କିନ୍ତୁ ସହରାଞ୍ଚଳରେ ଲୋକଙ୍କ ପାନିକ୍ ବାୟିଂ ପ୍ରବୃତ୍ତି, ଗୁଜବ ଏବଂ ପ୍ରଶାସନିକ ସ୍ତରରେ ପରିଚାଳନାଗତ ତ୍ରୁଟି ହିଁ ସଂକଟ ଛିଡ଼ା କରିଦେଲା ।  ଫଳରେ ଲୋକଙ୍କୁ ହିନସ୍ତା ହେବାକୁ ପଡ଼ିଲା ।

ଏବେ ପେଟ୍ରୋଲ ପମ୍ପରେ ନାହିଁ ଗହଳି । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଲମ୍ବାଲାଇନ ଲାଗୁଥିବା ବେଳେ ପେଟ୍ରୋଲ ପମ୍ପ ଏବେ ଶୂନଶାନ । ଆଜି ଲୋକସେବା ଭବନରେ ତୈଳ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ଅନୁ ଗର୍ଗ । ରାଜ୍ୟରେ କୌଣସି ସ୍ଥାନରେ ତୈଳର ଅଭାବ ନାହିଁ। ଲୋକ ମାନେ ଅଯଥାରେ ପେଟ୍ରୋଲ ପମ୍ପରେ ଭିଡ଼ କରନ୍ତୁ ନାହିଁ କି ହୋର୍ଡିଂ କରନ୍ତୁ ନାହିଁ। ସ୍ଥିତି ସ୍ୱାଭାବିକ ଅଛି। ନିୟମିତ ଭାବେ ସ୍ଥିତି ମନିଟର କରିବାକୁ ତୈଳ କମ୍ପାନୀଙ୍କୁ କୁହାଯାଇଛି ।  ବିଭିନ୍ନ ସ୍ଥାନରେ ହୋର୍ଡିଂ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ମୁଖ୍ୟସଚିବ ।

ତୈଳ ଅଭାବ ଯୋଗୁ ବିଭିନ୍ନ ସ୍ଥାନରେ ପେଟ୍ରୋଲ ବନ୍ଦ ଥିଲା । ସଂକଟ ଟଳିବା ପରେ ଏବେ ବନ୍ଦ ପେଟ୍ରୋଲ ପମ୍ପ ଖୋଲିଲାଣି । ତେବେ ମାଲାକାନଗିରି ସମେତ କିଛି ସ୍ଥାନରେ ପେଟ୍ରୋଲ ପମ୍ପରେ ଏବେବି ଭିଡ଼ ଲାଗିଛି । ତୈଳ ଷ୍ଟକ ଅଛି ସରକାର କହୁଥିବା ବେଳେ ତଥାପି କାହିଁକି ଶୁଖିଲା ପଡ଼ିଲା ଟାଙ୍କି । ଯଦିଓ ସମସ୍ୟାର ମୂଳ କାରଣ ଅନ୍ତର୍ଜାତୀୟ ବଜାର, ତେବେ ଲୋକଙ୍କ ଆଚରଣଗତ ଶୈଳୀ ଓ ଖୁଚୁରା ବ୍ୟବସାୟ ପରିଚାଳନାର ତ୍ରୁଟି ହିଁ ଏଥିପାଇଁ ମୁଖ୍ୟତଃ ଦାୟୀ। ସ୍ଥିତିକୁ ହଠାତ ସଂଗୀନ କରିଦେଲା ସ୍ଥାନୀୟ ଚାହିଦା ଓ ଗୁଜବ । ତେଲ ଟାଙ୍କି ଖାଲି ହୋଇ ଯିବା ଭୟରେ ସହରାଞ୍ଚଳରେ ‘ପ୍ୟାନିକ୍ ବାୟିଂ’ ଆରମ୍ଭ ହେଲା। ଫଳରେ ଦୈନିକ ତେଲ ଚାହିଦା ହଠାତ୍ ୩୦ ରୁ ୫୦ ପ୍ରତିଶତ ବୃଦ୍ଧି ପାଇଲା।

ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଆଦି ଅଞ୍ଚଳରେ ଚାହିଦା ଅପ୍ରତ୍ୟାଶିତ ଭାବେ ବଢ଼ିଗଲା। ଦର ଓ ଯୋଗାଣରେ ସାମାନ୍ୟ ପାର୍ଥକ୍ୟ ଥିବାରୁ ପଡ଼ୋଶୀ ରାଜ୍ୟର ଗାଡ଼ିଗୁଡ଼ିକ ଓଡ଼ିଶା ସୀମାରେ ତେଲ ପକାଇବା ଯୋଗୁଁ ସ୍ଥାନୀୟ ଷ୍ଟକ୍ ଶୀଘ୍ର ଶେଷ ହୋଇଗଲା ।  ପେଟ୍ରୋଲ୍ କଳାବଜାରୀ ହେଉଥିବା ଭଳି ମିଥ୍ୟା ଖବର ସ୍ଥିତିକୁ ଆହୁରି ଜଟିଳ କରିଦେଲା ।

ହ୍ୱାଟସ୍ ଆପ୍ ଗ୍ରୁପ୍ ଏବଂ ଫେସବୁକ୍ ରେ ଭାଇରାଲ୍ ହେଉଥିବା “No Stock” ବୋର୍ଡ ଭିଡିଓ ଦେଖି ଟାଙ୍କି ଅଧା ଥିବା ଲୋକ ମଧ୍ୟ ଭୟରେ ଆସି ଲାଇନ୍ ଲଗାଇଲେ ।  ପ୍ରଶାସନିକ ଓ ପରିଚାଳନାଗତ ତ୍ରୁଟି କୃତ୍ରିମ ସଂକଟର ଅନ୍ୟତମ ବଡ଼ କାରଣ ।  ଖୁଚୁରା ସ୍ତରରେ ପେମେଣ୍ଟ ଓ ଷ୍ଟକ୍ ପରିଚାଳନାରେ ବିଳମ୍ବ ଯୋଗୁ ସଂକଟ ସୃଷ୍ଟି ହେଲା ।  ନିକଟରେ ତେଲ କମ୍ପାନୀଗୁଡ଼ିକ ଡିଲରମାନଙ୍କୁ ୩-୪ ଦିନ ପରିବର୍ତ୍ତେ ମାତ୍ର ୨ ଦିନର ବଫର ଷ୍ଟକ୍ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସାଧାରଣ ସମୟରେ ଏହି ସ୍ୱଳ୍ପ ଷ୍ଟକ୍ ବ୍ୟବସ୍ଥା ଭଲ ଚାଲେ ।  କିନ୍ତୁ ହଠାତ୍ ଚାହିଦା ବଢ଼ିବାରୁ ଏହି ‘ଲିନ୍ ଇନଭେଣ୍ଟ୍ରି’ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଲା ।  ଭଦ୍ରକ, କେନ୍ଦୁଝର ଏବଂ ପାରାଦୀପ ଭଳି ସ୍ଥାନରେ ଯୋଗାଣ କମିଟି ଗଠନ ହେବା ପୂର୍ବରୁ ହିଁ ଗୁଜବ ସହରସାରା ବ୍ୟାପି ସାରିଥିଲା। ପ୍ରଶାସନର ସ୍ପଷ୍ଟୀକରଣ ଆସିବା ବେଳକୁ ପେଟ୍ରୋଲ୍ ପମ୍ପଗୁଡ଼ିକରେ ଅସମ୍ଭାଳ ଭିଡ଼ ଜମି ସାରିଥିଲା ।  ଏବେ ତୈଳ ସଂକଟ ସ୍ଥିତି ସୁଧୁରିଛି ।

Share