ଭୁବନେଶ୍ୱର: ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ। କୃଷି ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର ଚାଷୀ ଓ କୃଷି ବିକାଶର ଭୂୟସୀ ପ୍ରଶଂସା କରିଛନ୍ତି। ଅନ୍ୟପଟେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ବଡ଼ ବୟାନ ମଧ୍ୟ ଦେଇଛନ୍ତି। ଅନ୍ତର୍ଜାତୀୟ ସ୍ଥିତି ଯୋଗୁଁ ସାର ପାଇଁ ଦେଶରେ ଚିନ୍ତା ବଢିଛି। ନକଲି ପେଷ୍ଟିସାଇଡ୍ ବଜାରରେ ବିକ୍ରି ହେଉଛି। ସାର କଳାବଜାରୀ ହେଲେ କାହାକୁ ଛଡ଼ାଯିବନି ବୋଲି କହିଛନ୍ତି କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ।
ସାର କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି, ଚାଷୀ ପାଇଁ ତିଆରି ହେବ ଫାର୍ମର ଆଇଡି । ଏହି ଆଇଡିରେ ଚାଷୀଙ୍କ ସମ୍ପତ୍ତି, ପରିବାର ସଦସ୍ୟଙ୍କ ସଂଖ୍ୟା ସହ ଚାଷୀ ପାଖରେ କେତେ ଜମି ଅଛି ସବୁ ତଥ୍ୟ ରହିବ । ଏହାଦ୍ୱାରା ଚାଷୀଙ୍କୁ ଦୁଇ ମିନିଟ୍ରେ ଲୋନ୍ ମିଳି ପାରିବ । ସବୁ ରାଜ୍ୟ ଶୀଘ୍ର ଫାର୍ମର ଆଇଡି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଆଗକୁ ଅଭାବୀ ବର୍ଷା ଆଶଙ୍କା ରହିଛି । ଏଭଳି ପରିସ୍ଥିତିକୁ ନେଇ ଆଗୁଆ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

