Wuad

ନୂଆଦିଲ୍ଲୀ : ଜୟଶଙ୍କରଙ୍କ ନେତୃତ୍ୱରେ ନୂଆଦିଲ୍ଲୀରେ କ୍ୱାଡ୍ ବୈଠକ ।  ଏହି ହାଇ-ପ୍ରୋଫାଇଲ୍ ବୈଠକରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଯୋଗ ଦେଇଥିଲେ । ସମସ୍ତ ନେତା ଏକ ମୁକ୍ତ, ଖୋଲା ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ଗଠନ ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି । ବୈଠକରେ ସାମୁଦ୍ରିକ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଆଞ୍ଚଳିକ ସ୍ଥିରତା ଉପରେ ଗୁରୁତ୍ୱ ଦିଆଯାଇଛି ।

ଇଣ୍ଡୋ-ପାସିଫିକ୍ ସାମୁଦ୍ରିକ ସର୍ଭେଲାନ୍ସ ସହଯୋଗ ପ୍ରକଳ୍ପ ଘୋଷଣା କରିଛନ୍ତି ମାର୍କୋ ରୁବିଓ । ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବେଆଇନ ମାଛ ଧରିବା, ଜଳଦସ୍ୟୁତା ଏବଂ ସାମୁଦ୍ରିକ ସୁରକ୍ଷା ଜନିତ ଆହ୍ୱାନର ମୁକାବିଲା ପାଇଁ ରୁବିଓ ଏକ ନୂତନ ‘ଇଣ୍ଡୋ-ପାସିଫିକ୍ ମାରିଟାଇମ୍ ସର୍ଭେଲାନ୍ସ କୋଅପରେସନ ଇନିସିଏଟିଭ୍ ଘୋଷଣା କରିଛନ୍ତି । ଏହାଦ୍ୱାରା ସମୁଦ୍ର ପଥରେ ରିୟଲ ଟାଇମ ଉପରେ ନଜର ରଖାଯାଇପାରିବ । ନୂତନ ସର୍ଭେଲାନ୍ସ ପ୍ରକଳ୍ପ ମାଧ୍ୟମରେ ସଦସ୍ୟ ଦେଶଗୁଡ଼ିକର ସାମୁଦ୍ରିକ ନଜର ରଖିବା କ୍ଷମତାର ସମନ୍ୱୟ କରାଯିବ ଏବଂ ପରସ୍ପର ମଧ୍ୟରେ ଡାଟା ଶେୟାରିଂ ବୃଦ୍ଧି ପାଇବ । ଏହା ସହ ଭାରତ ଆଗାମୀ ‘କ୍ୱାଡ୍-ଆଟ୍-ସି ମିଶନ’ (Quad-at-Sea Mission) ଆୟୋଜନ କରିବାକୁ ରାଜି ହୋଇଛି । ଯେଉଁଥିରେ ଚାରି ଦେଶର କୋଷ୍ଟଗାର୍ଡ ଏକାଠି କାମ କରିବେ ।

ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜରେ ବନ୍ଦର କ୍ଷମତା ବୃଦ୍ଧି ପାଇଁ କ୍ୱାଡ୍ ପକ୍ଷରୁ ‘ପୋର୍ଟସ୍ ଅଫ୍ ଦି ଫ୍ୟୁଚର୍’ (Ports of the Future) ସହଭାଗିତା ଆରମ୍ଭ କରାଯାଇଛି । ଏହାର ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ଫିଜିରେ କାର୍ଯ୍ୟକାରୀ ହେବ । ବୈଠକ ଅବସରରେ ଭାରତ ଓ ଆମେରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ବିରଳ ମୃର୍ତ୍ତିକା ସପ୍ଲାଇ ଚେନ୍ କୁ ସୁଦୃଢ଼ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏଥିସହ ଇନ୍ଧନ ଯୋଗାଣରେ ବାଧା ସୃଷ୍ଟି କରୁଥିବା ଆହ୍ୱାନର ମୁକାବିଲା ପାଇଁ ଏକ ଏନର୍ଜି ସିକ୍ୟୁରିଟି ପ୍ରେମୱାର୍କ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଡ. ଜୟଶଙ୍କର ଏହି ବୈଠକକୁ ଅତ୍ୟନ୍ତ ସକାରାତ୍ମକ ଦର୍ଶାଇଛନ୍ତି । ସେହିପରି ମାର୍କୋ ରୁବିଓ କହିଛନ୍ତି, କ୍ୱାଡ୍ ଏବେ କେବଳ ଆଲୋଚନାର ମାଧ୍ୟମ ହୋଇ ରହିନାହିଁ ବରଂ ଏହା କାର୍ଯ୍ୟକ୍ଷମ ଓ ବାସ୍ତବବାଦୀ ପ୍ଲାଟଫର୍ମରେ ପରିଣତ ହୋଇଛି । ବିଶ୍ୱର ପ୍ରାୟ ୬୦ ପ୍ରତିଶତ ବାଣିଜ୍ୟ ଏହି ସାମୁଦ୍ରିକ ପଥ ଦେଇ ହେଉଥିବାରୁ ଏହାର ସୁରକ୍ଷା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ ।

Share