ପାଟଣାଗଡ଼: ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମୃତ୍ୟୁ ପରେ ଶବ ଛୁଇଁଲେନି ଜାତି ଭାଇ । ଶବ ସତ୍କାର କଲେ ସ୍ବେଛାସେବୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମପଞ୍ଚାୟତ ତୁଳସୀଡୁଙ୍ଗୁରି ଗ୍ରାମରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ବୃଦ୍ଧ ଜଣକ ହେଲେ ଉକ୍ତ ଗାଁର ଅର୍ଜୁନ ବନଗୋଲା ।
ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା ହୋଇଥିଲେ ବୋଲି ବୃଦ୍ଧଙ୍କ ମୃତ୍ୟୁ ହେବାପରେ ଶବକୁ କେହି ଛୁଇଲେନି । ୧୦ ଘଣ୍ଟା ପରେ ବି ହୋଇପାରିଲାନି ବୃଦ୍ଧ ସଂସ୍କାର । ଶବକୁ ଚାରି କାନ୍ଧ ମିଳି ନ ଥିବାରୁ ମୃତଦେହକୁ ଜଗି ରହିଥିଲା ମୃତ ବୃଦ୍ଧଙ୍କ ଏକମାତ୍ର ପୁଅ । ଶବକୁ କିପରି ଶ୍ମଶାନକୁ ନେବେ ସେ ନେଇ ଚିନ୍ତାରେ ପଡ଼ିଯାଇଥିଲା ପୁଅ । ଏଘଟଣା ସମ୍ପର୍କରେ ଖବର ପାଇବା ପରେ ପାଟଣାଗଡ଼ର ସ୍ଵେଛାସେବୀ, ସାମ୍ବାଦିକ ଓ ଆଇନଜୀବୀ ପହଞ୍ଚି ଶବ ସତ୍କାର କରିଥିଲେ । ମୃତ ବୃଦ୍ଧଙ୍କ ଶବକୁ କାନ୍ଧଦେଇ ଗାଁର ଅନତି ଦୂରରେ ଥିବା ଏକ ଜଙ୍ଗଲକୁ ଆଣି ଶବ ସତ୍କାର କରିଥିଲେ । ଅନ୍ୟପଟେ ପଞ୍ଚାୟତ କର୍ତ୍ତୃପକ୍ଷ ହରିଚନ୍ଦ୍ର ଯୋଜନାରୁ କିଛି ଟଙ୍କା ଦେଇ ସେଠାରୁ ଚାଲିଯାଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି ।

