ଭୁବନେଶ୍ୱର : ଓଡ଼ିଶାକୁ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ । ରାଜ୍ୟରେ ସବୁଜ ଅର୍ଥନୀତିର ବିକାଶ ପାଇଁ ଓଡ଼ିଶା ସରକାର ଜାପାନର ପ୍ରତିଷ୍ଠିତ IHI Corporation ଏବଂ ACME ଗ୍ରୁପ୍ ସହ ଏକ ସହଯୋଗ ପତ୍ର ବା MoC ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ସ୍ୱାକ୍ଷର ଦ୍ୱାରା ରାଜ୍ୟରେ ପ୍ରାୟ ୬୭ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏବଂ ପ୍ରାୟ ୭ ହଜାର ୬୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଗୋପାଳପୁରରେ ୨୦,୦୦୦ କୋଟି ଟଙ୍କା ବିନିଯୋଗରେ ୦.୪ MTPA ଗ୍ରୀନ୍ ଆମୋନିଆ ପ୍ରକଳ୍ପ ହେବ ।
ଏଥିରେ ୩,୪୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୧,୦୦୦ କୋଟି ଟଙ୍କାରେ ଏକ ଫ୍ଲୋଟିଙ୍ଗ୍ ଟର୍ମିନାଲ୍ ଭିତ୍ତିଭୂମି ହେବ । ପାରାଦୀପ ପ୍ରକଳ୍ପ ୧ରେ ୩୪,୦୦୦ କୋଟି ଟଙ୍କା ବିନିଯୋଗରେ ୦. ୮ MTPA ଗ୍ରୀନ୍ ଆମୋନିଆ ପ୍ରକଳ୍ପ । ୩,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପାରାଦୀପ ପ୍ରକଳ୍ପ ୨ରେ ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ୦.୧ MTPA ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ । ୬୦୦ ନିଯୁକ୍ତି ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଏକ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ରେ ପରିଣତ କରିବା ସହ ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ ଦୁଇଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଥିବା ସୂଚନା ଦେଇଛନ୍ତି।
ଭୌଗୋଳିକ ଦୃଷ୍ଟିରୁ ଓଡ଼ିଶାରେ ଉତ୍ପାଦିତ ସବୁଜ ଶକ୍ତିକୁ ଖୁବ୍ ସହଜରେ ଜାପାନକୁ ରପ୍ତାନି କରାଯାଇପାରିବ ବୋଲି ACME ଗ୍ରୁପ୍ ର ଚେୟାରମ୍ୟାନ୍ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ IHI କର୍ପୋରେସନ୍ କୁ ରାଜ୍ୟରେ ଏକ ‘ଜାପାନୀ ଗ୍ରୀନ୍ ଇଞ୍ଜିନିୟରିଂ ଏବଂ ଇନୋଭେସନ୍ ସେଣ୍ଟର’ ଏବଂ MITSUBISHI କର୍ପୋରେସନ୍ କୁ ଗ୍ରୀନ୍ କେମିକାଲ୍ସ କ୍ଷେତ୍ରରେ ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି।

