ପ୍ରାଥମିକ ଯାଞ୍ଚ ପରେ ସାଇବର ପୋଲିସ ଷ୍ଟେସନ୍ ନିୟମିତ ଏଫ୍ଆଇଆର୍ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିପାରିବ। ପ୍ରୟୋଜନ ଅନୁଯାୟୀ ମାମଲାକୁ ସମ୍ପୃକ୍ତ ଥାନାକୁ ସ୍ଥାନାନ୍ତର, ଜିରୋ ଏଫ୍ଆଇଆର୍ ଭାବେ ପଞ୍ଜୀକରଣ, ପୂର୍ବରୁ ଥିବା ମାମଲା ସହ ସଂଯୋଗ କିମ୍ବା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ନକରୁଥିବା ଅଭିଯୋଗକୁ ବନ୍ଦ କରାଯାଇପାରିବ। ଏହି ବ୍ୟବସ୍ଥା ମାଧ୍ୟମରେ ମାମଲା ପଞ୍ଜୀକରଣ ଓ ସୂଚନା ଆଦାନ-ପ୍ରଦାନ ଅଧିକ ଦ୍ରୁତ ଏବଂ ସୁବ୍ୟବସ୍ଥିତ ହେବ। ଅଭିଯୋଗକାରୀମାନେ ମଧ୍ୟ ନିଜ ମାମଲାର ଅଗ୍ରଗତି ସମ୍ପର୍କରେ ସହଜରେ ସୂଚନା ପାଇପାରିବେ।
ଏହି ଅବସରରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ଯେ, ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରି ନାଗରିକଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଜନକଲ୍ୟାଣମୂଳକ ପୋଲିସ ସେବା ପ୍ରଦାନ କରିବାକୁ ଓଡ଼ିଶା ପୋଲିସ ପ୍ରତିବଦ୍ଧ। ସେ ସାଧାରଣ ଲୋକଙ୍କୁ ଅନୁରୋଧ କରିଥିଲେ ଯେ, ସାଇବର ଆର୍ଥିକ ଠକେଇର ଶିକାର ହେଲେ ବିଳମ୍ବ ନକରି ତୁରନ୍ତ ୧୯୩୦ରେ ଅଭିଯୋଗ କରନ୍ତୁ। ଶୀଘ୍ର ଅଭିଯୋଗ କଲେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ମଧ୍ୟ ବଢ଼ିବ।
ଡିଜିପି ଏହି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ, ଅପରାଧ ଶାଖା ଓ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ‘ଇ-ଜିରୋ ଏଫ୍ଆଇଆର୍’ ବ୍ୟବସ୍ଥା ଓଡ଼ିଶା ପୋଲିସର ପ୍ରଯୁକ୍ତିନିର୍ଭର, ଆଧୁନିକ ଓ ଦକ୍ଷ ପୋଲିସିଂ ବ୍ୟବସ୍ଥା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ସାଇବର ଅପରାଧର ମୁକାବିଲା ସହ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନରେ ସହାୟକ ହେବ।

