Vigilance c

ଜୟପୁର : କୋରାପୁଟ ଭିଜିଲାନ୍ସର ବଡ଼ ଆକ୍ସନ । ଧରାପଡିଲେ ଖଣି ଉପନିର୍ଦ୍ଦେଶକ । ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ । ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର ସତ୍ୟଜିତ ରାଉତଙ୍କ ଘରେ ଚଢ଼ାଉ ବେଳେ ମିଳିଲା ଆଉ ୨ଲକ୍ଷ ୯୦ ହଜାର ଟଙ୍କା । ଖଣି ବ୍ୟବସାୟରେ ରୟାଲିଟି ଏକ୍ସଟେନସନ ପାଇଁ ଏବଂ ସ୍ପଟ୍ ନିଲାମରେ ସୁବିଧା କରାଇଦେବା ନାଁରେ ଲାଞ୍ଚ ନେବା ଜଣେ ସରକାରୀ ବାବୁଙ୍କୁ ମହଙ୍ଗା ପଡ଼ିଛି । କୋରାପୁଟ ଜୟପୁର ସ୍ଥିତ ଖଣି କାର୍ଯ୍ୟାଳୟର ଡେପୁଟି ଡିରେକ୍ଟର (ଜିଓଲୋଜି)-କମ୍-ଡେପୁଟି ଡିରେକ୍ଟର ଅଫ୍ ମାଇନ୍ସ ସତ୍ୟଜିତ ରାଉତଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଜଣେ ଲିଜ୍ ଧାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଜୟପୁର ଠାରେ ଧରାଯାଇଛି । ଭିଜିଲାନ୍ସ ଟିମ୍ ସତ୍ୟଜିତଙ୍କ ପାଖରୁ ସେହି ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ।

ଆୟବହିର୍ଭୂତ ସମ୍ପତ୍ତି ଖୋଜାଖୋଜି ବେଳେ ତାଙ୍କ ରାୟଗଡ଼ା ବାସଭବନରୁ ଆହୁରି ୨ଲକ୍ଷ ୯୦ହଜାର ଟଙ୍କା ମିଳିଛି । ଫଳରେ ବର୍ତ୍ତମାନ ସୁଦ୍ଧା ସରକାରୀ ବାବୁଙ୍କ ପାଖରୁ ସମୁଦାୟ ୪ଲକ୍ଷ ୯୦ ହଜାର ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି । ଜଣେ ବାଲି ଲିଜ୍ ଧାରୀଙ୍କର ଲିଜ୍ ସରିଯିବା ପରେ ତାର ଅବଧି ବଢ଼ାଇବା ଏବଂ ଆଗକୁ ହେବାକୁ ଥିବା ସ୍ପଟ୍ ନିଲାମରେ ସାହାଯ୍ୟ କରିବା ପାଇଁ ସେ ଏହି ମୋଟା ଅଙ୍କର ଟଙ୍କା ଦାବି କରିଥିଲେ । ଲିଜ୍ ଧାରୀଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯାଇଥିଲା । ଯୋଜନା ମୁତାବକ ସତ୍ୟଜିତ ରାଉତ ଯେତେବେଳେ ୨ ଲକ୍ଷ ଟଙ୍କା ଗ୍ରହଣ କରୁଥିଲେ ଲୁଚି ରହିଥିବା ଅଧିକାରୀମାନେ ତାଙ୍କୁ ଘେରି ଯାଇଥିଲେ । ଗିରଫ ପରେ ତନାଘନା ଜାରି ରଖି ଭିଜିଲାନ୍ସ ଟିମ୍ ତାଙ୍କର ରାୟଗଡ଼ା ଘରେ ଚଢ଼ାଉ କରିଥିଲା ।

ସେଠାରୁ ଆଉ ୨ ଲକ୍ଷ ୯୦ ହଜାର ଟଙ୍କା ମିଳିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ଏହି ଦୁର୍ନୀତି ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ ପିଏସ୍ କେସ୍ ନମ୍ବର ୧୪/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଡେପୁଟି ଡିରେକ୍ଟର ସତ୍ୟଜିତ ରାଉତଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି । ତାଙ୍କର ଅନ୍ୟ କେଉଁ ସ୍ଥାନରେ ବେନାମୀ ସମ୍ପତ୍ତି ରହିଛି, ସେ ନେଇ ଭିଜିଲାନ୍ସର ଖୋଳତାଡ଼ ଜାରି ରହିଛି ।

Share