‘ପିନାକା’ ହେଉଛି ଭଗବାନ ଶିବଙ୍କ ଦିବ୍ୟ ଧନୁଷର ନାମ। ସନାତନ ଧର୍ମଗ୍ରନ୍ଥ ରାମାୟଣ ଓ ଶିବ ପୁରାଣରେ ପିନାକାକୁ ଅଧର୍ମ ଓ ଅଶୁଭ ଶକ୍ତିର ବିନାଶର ପ୍ରତୀକ ବୋଲି ବର୍ଣ୍ଣନା କରାଯାଇଛି। ସେହି ଭାବନାକୁ ନେଇ ଭାରତର ଏହି ଅତ୍ୟାଧୁନିକ ରକେଟ୍ ସିଷ୍ଟମର ନାମ ‘ପିନାକା’ ରଖାଯାଇଛି। ପିନାକାକୁ DRDOର ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ARDE) ବିକଶିତ କରିଛି। ଦୀର୍ଘ ଦୂରତାରେ ଶତ୍ରୁ ଲକ୍ଷ୍ୟକୁ ନିଖୁଣ ଭାବେ ଧ୍ୱଂସ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ସମ୍ପ୍ରତି ଫ୍ଲାଇଟ୍ ଟେଷ୍ଟରେ ପିନାକା LRGR ଅତ୍ୟନ୍ତ ସଠିକ୍ ଭାବେ ଲକ୍ଷ୍ୟକୁ ଭେଦ କରି ନିଜର ବହୁମୁଖୀ କ୍ଷମତା ପ୍ରମାଣ କରିଛି।
ପିନାକାର ବିଶେଷତା ହେଉଛି ଏହା ଏକ ମଲ୍ଟି-ବ୍ୟାରେଲ୍ ରକେଟ୍ ଲଞ୍ଚର ସିଷ୍ଟମ। ଯାହା ପ୍ରାୟ ୪୪ ସେକେଣ୍ଡ ମଧ୍ୟରେ ୧୨ଟି ରକେଟ୍ ଉତକ୍ଷେପଣ କରିପାରେ। 8×8 ହାଇ ମୋବିଲିଟି ସାମରିକ ଟ୍ରକ୍ ଉପରେ ସ୍ଥାପିତ ଏହି ଲଞ୍ଚର ସିଷ୍ଟମ ଏକାଥରେ ପ୍ରାୟ ୭୦୦ × ୫୦୦ ମିଟର ଅଞ୍ଚଳକୁ ଟାର୍ଗେଟ୍ କରିପାରେ। ଏହି ରକେଟ୍ ଲଞ୍ଚରର ବଡ଼ ବିଶେଷତା ହେଉଛି, ରକେଟ୍ ଉତକ୍ଷେପଣ କରିବା ପରେ ଏହା ତୁରନ୍ତ ନିଜ ସ୍ଥାନ ପରିବର୍ତ୍ତନ କରିପାରେ, ଯାହା ଏହାକୁ ଶତ୍ରୁର ପାଲଟା ଆକ୍ରମଣରୁ ସୁରକ୍ଷିତ ରଖେ। ଦ୍ରୁତ ଗତିରେ ସ୍ଥାନ ପରିବର୍ତ୍ତନ କରିପାରୁଥିବାରୁ ଶତ୍ରୁ ପାଇଁ ଏହାକୁ ଚିହ୍ନଟ କରିବା କଷ୍ଟକର ହୋଇଥାଏ । ପିନାକାକୁ ମରୁଭୂମି, ପାହାଡ଼ିଆ ଏବଂ ସମତଳ ଅଞ୍ଚଳ, ସବୁଠି ସଫଳତାର ସହ ବ୍ୟବହାର କରାଯାଇପାରେ। ଗୁଳି ଛାଡ଼ିବା ପରେ ତୁରନ୍ତ ସ୍ଥାନ ବଦଳାଇବାର କ୍ଷମତା ଥିବାରୁ ଏହା ଯୁଦ୍ଧକ୍ଷେତ୍ରରେ ବହୁତ ପ୍ରଭାବଶାଳୀ।
ଏବେ ପିନାକାର ବିଭିନ୍ନ ଭର୍ସନ୍ ଓ ରେଞ୍ଜ ଉପଲବ୍ଧ ରହିଛି। MK-Iର ରେଞ୍ଜ ୩୭-୪୦ କିମି, MK-I Enhancedର ୪୫-୬୦ କିମି, MK-IIର ୬୦-୭୫ କିମି, Guided Pinakaର ୭୫-୯୦ କିମି ଏବଂ ସର୍ବାଧୁନିକ LRGR-120 (MK-III)ର ରେଞ୍ଜ ୯୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏପରି ଦୀର୍ଘ ଦୂରତାର ଗାଇଡେଡ୍ ରକେଟ୍ ଭାରତୀୟ ସଶସ୍ତ୍ର ବାହିନୀର ଯୁଦ୍ଧ କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ମତ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ପିନାକା GPS ନେଭିଗେସନ୍ ବ୍ୟବସ୍ଥାର ସହାୟତାରେ ଅତ୍ୟନ୍ତ ନିଖୁଣ ଭାବେ ଲକ୍ଷ୍ୟକୁ ଆକ୍ରମଣ କରିପାରେ। ଏକ ଟ୍ରକ୍ରେ ୧୨ଟି ରକେଟ୍ ଟ୍ୟୁବ୍ ରହିଥାଏ, ଯାହା ସ୍ୱଳ୍ପ ସମୟରେ ବଡ଼ ଧରଣର ଆକ୍ରମଣ କରିବାର କ୍ଷମତା ରଖେ। ଯାହାର ଚାହିଦା ବିଦେଶରେ ମଧ୍ୟ ବୃଦ୍ଧି ପାଉଛି । ଭାରତର ଏହି ସ୍ୱଦେଶୀ ରକେଟ୍ ସିଷ୍ଟମକୁ ଆର୍ମେନିଆ କ୍ରୟ କରିସାରିଛି। ଫ୍ରାନ୍ସ ସମେତ ଅନେକ ୟୁରୋପୀୟ ଦେଶ ମଧ୍ୟ ପିନାକା କିଣିବାରେ ଆଗ୍ରହ ପ୍ରକାଶ କରିଛନ୍ତି।

