ଗଣେଶ ପଣ୍ଡାଲରେ ଅଘଟଣ, କରେଣ୍ଟ ଲାଗି ୪ ମୃତ, ୨ ଗୁରୁତର

4Electric Shock

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ମଣ୍ଡଳାରେ ଗଣେଶ ପଣ୍ଡାଲରେ କରେଣ୍ଟ ଲାଗି ଏକ ବଡ଼ ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁସାରେ, ଏହି ଘଟଣା ନୈନପୁର ଥାନା ଅନ୍ତର୍ଗତ ହୀରାପୁର ଗାଁରେ ଘଟିଛି । ଗଣେଶ ବିସର୍ଜନ ପରେ କିଛି ଲୋକ ଗଣେଶ ପଣ୍ଡାଲର ମଞ୍ଚ ଉପରେ ଶୋଇଥିଲେ ।

ଏହି ସମୟରେ ହଠାତ୍ ପଣ୍ଡାଲରେ କରେଣ୍ଟ ପ୍ରବାହିତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଥିବା ଲୋକମାନେ କରେଣ୍ଟର ସଂସ୍ପର୍ଶରେ ଆସିଥିଲେ ।  ସର୍ଟ ସର୍କିଟ୍ କିମ୍ବା ବିଦ୍ୟୁତ୍ ତାର ଛିଣ୍ଡିଯିବା ଯୋଗୁଁ ପଣ୍ଡାଲରେ କରେଣ୍ଟ ପ୍ରବାହିତ ହୋଇଥାଇପାରେ । ତେବେ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆତଙ୍କ ଦେଖାଦେଇଥିଲା । ଖବର ପାଇ ପୁଲିସ ଓ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଧିକାରୀମାନେ ଘଟଣାସ୍ଥଳର ଯାଞ୍ଚ କରିଥିଲେ ଓ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।

ଅନ୍ୟପଟେ ମଣ୍ଡଳାର ଅତିରିକ୍ତ ପୁଲିସ ଅଧୀକ୍ଷକ ଶିବ କୁମାର ବର୍ମା ଫୋନ୍ ଯୋଗେ ଏହି ଘଟଣାର ସୂଚନା ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ, ଗଣେଶ ପଣ୍ଡାଲରେ କରେଣ୍ଟ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୁଲିସ ଓ ପ୍ରଶାସନ ପକ୍ଷରୁ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ପଣ୍ଡାଲରେ କିପରି କରେଣ୍ଟ ପ୍ରବାହିତ ହେଲା, ସେନେଇ ତଦନ୍ତ ଜାରି ରହିଛି। ଏହି ଦୁର୍ଘଟଣା ପରେ ଗାଁରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Share