ରାଉରକେଲା : ରାଉରକେଲାରେ ଚାଞ୍ଚଲ୍ୟ ! ପ୍ଲାଣ୍ଟ ସାଇଡ ପୋଲିସ ପଞ୍ଝାରେ ଧରାପଡ଼ିଲା ଅନ୍ତଃରାଜ୍ୟ କଫ ସିରଫ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ବଡ଼ ମାଫିଆ ଗ୍ୟାଙ୍ଗ । ଚେକିଂ ବେଳେ ସିନେମା ଷ୍ଟାଇଲରେ ବ୍ରେଜା କାରକୁ ଅଟକାଇ ପୋଲିସ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛି । ଦୁଇ ଅଭିଯୁକ୍ତ ରାଜଗାଙ୍ଗପୁରର ମହମ୍ମଦ ସଦ୍ଦାମ ଏବଂ ସମ୍ବଲପୁରର ତ୍ରିବିକ୍ରମ ସୁନା ।
ସେମାନଙ୍କ ନିକଟରୁ ନଗଦ ୧୧ ଲକ୍ଷ ୬୩ ହଜାର ଟଙ୍କା ନଗଦ, ୨ଟି ଦେଶୀ ପିସ୍ତଲ, ୨ ରାଉଣ୍ଡ ଜୀବନ୍ତ ଗୁଳି, ୩ଟି ମୋବାଇଲ ଫୋନ, ଏକ ମାରୁତି ବ୍ରେଜା କାର (OD-14AA-0279) ଏବଂ କଫ ସିରଫ କାରବାର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ପୋଲିସର ପଚରାଉଚରା ବେଳେ ସାମ୍ନାକୁ ଆସିଛି ସବୁଠାରୁ ବଡ଼ ରହସ୍ୟ ।
ଗତ ୪ ମାସ ଧରି ଏହି ରାକେଟର କିଙ୍ଗପିନ୍ ମହମ୍ମଦ ସଦ୍ଦାମ ରାଜ୍ୟ ବାହାରୁ ବିଭିନ୍ନ ଟ୍ରାନ୍ସପୋର୍ଟ ଏଜେନ୍ସି ଜରିଆରେ ୫୦ ହଜାରରୁ ଅଧିକ ବୋତଲ ନିଶାଯୁକ୍ତ କଫ ସିରଫ (WINCEREX) ଆଣି ନକଲି କାଗଜପତ୍ର ବଳରେ ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼ ଅଞ୍ଚଳରେ ବିକ୍ରି କରୁଥିଲା ।
ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବେଆଇନ କଫ ସିରଫ ବିକ୍ରିରୁ ମିଳୁଥିବା କଳା ଟଙ୍କାରେ ବିହାରରୁ ବନ୍ଧୁକ କିଣି ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଆଖପାଖ ଜିଲ୍ଲାରେ ଚୋରା ଚାଲାଣ କରୁଥିଲେ ଅଭିଯୁକ୍ତ। ଆଜି ବିଶ୍ରା ଛକ ନିକଟରେ ପୋଲିସ ହାତରେ ଧରାପଡ଼ିବା ପରେ ଏହି ଅନ୍ତଃରାଜ୍ୟ ମାଫିଆ ନେଟୱର୍କର ଚେର ଖୋଜିବା ଆରମ୍ଭ କରିଛି ପ୍ଲାଣ୍ଟ ସାଇଡ ପୋଲିସ। ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ଏବଂ ଅସ୍ତ୍ରଶସ୍ତ୍ରର ଉତ୍ସ ଓ ଗନ୍ତବ୍ୟସ୍ଥଳ କେଉଁଠି, ସେନେଇ ଅଧିକ ତଦନ୍ତ ଜାରି ରହିଛି।
