ବରପୁତ୍ର ମାନଙ୍କ ଅବଦାନକୁ ନ୍ୟୁନ କରିବାକୁ ଚେଷ୍ଟା ଚଳାଇଛନ୍ତି କିଛି ଲୋକ: ନବୀନ

Naveen Patnaik

ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ବର୍ଗତ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ବିଜୁ ବାବୁ ଜଣେ ଓଡ଼ିଆ ଭାବରେ ସବୁବେଳେ ଗର୍ବ କରୁଥିଲେ। ଓଡିଶା କୁ ଶ୍ରେଷ୍ଠ ରାଜ୍ୟ ରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ଥିଲା। ବିଜୁ ବାବୁଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା।ଯେଉଁଥିପାଇଁ ଓଡିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସ୍ୱୀକୃତି ମଧ୍ୟ ମିଳିଥିଲା।

ସେ ଆହୁରି ମଧ୍ୟ କହିଥିଲେ ଯେ ଦେଶର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଓ ମହିଳା ସଶକ୍ତିକରଣ ହେଉଛି ଭାରତୀୟ ରାଜନୀତିକୁ ବିଜୁ ବାବୁଙ୍କ ଶ୍ରେଷ୍ଠ ଅବଦାନ। ବିଜୁ ବାବୁଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ। ବରପୁତ୍ର ମାନଙ୍କ ତ୍ୟାଗ ଓ ଅବଦାନକୁ ନ୍ୟୁନ କରିବା ପାଇଁ  ବର୍ତ୍ତମାନ କିଛି ଲୋକ ଯେଭଳି ଉଦ୍ୟମ କରୁଛନ୍ତି ଏବଂ ଇତିହାସ ବଦଳେଇବାକୁ ଚେଷ୍ଟା ମଧ୍ୟ କରୁଛନ୍ତି। କିନ୍ତୁ ଇତିହାସ ହେଉଛି  ଗୋଟିଏ ନିର୍ଦିଷ୍ଟ କାଳଖଣ୍ଡ ରେ ଗୋଟିଏ ଜାତିର ସାମୁହିକ ଅନୁଭବର ପରିପ୍ରକାଶ। ଏହାକୁ କେହି ବଦଳେଇ ପାରିବେ ନାହିଁ। ତେଣୁ ଏଥିରେ ସମୟ ନଷ୍ଟ ନ କରି ବିକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡି ପାରିଲେ ରାଜ୍ୟ ର ମଙ୍ଗଳ ହେବ।

ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ନେତା ଅଶୋକ ପଣ୍ଡା, ଅମର ପଟନାୟକ,ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଦେବୀପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ଥିଲେ।

 

Share