ଆସନ୍ତାକାଲିଠାରୁ ବାତ୍ୟା କ୍ଷୟକ୍ଷତି ଆକଳନ; ୧୦୦ ବର୍ଷିଆ ବନ୍ୟା ପରିଚାଳନା ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର

Oplus
Oplus_131072

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ଆରମ୍ଭ ହେବ। ବାତ୍ୟା ‘ଅକୱାନ୍’ (Cyclone Akvan) ଜନିତ କ୍ଷୟକ୍ଷତିର ଆକଳନ ଆସନ୍ତାକାଲି (ନଭେମ୍ବର ୨୨, ରବିବାର) ଠାରୁ ଆରମ୍ଭ ହେବ ଏବଂ ରାଜ୍ୟ ସରକାର ଆଗାମୀ ୧୦୦ ବର୍ଷକୁ ଦୃଷ୍ଟିରେ ରଖି ଏକ ଦୀର୍ଘମିଆଦୀ ବନ୍ୟା ପରିଚାଳନା ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଇନ୍‌ପୁଟ୍ ସବ୍‌ସିଡି ମିଳିବ। ଶନିବାର ଦିନ ଏଭଳି ଘୋଷଣା କରି ସୁରେଶ ପୂଜାରୀ କହିଲେ ଯେ, କ୍ଷୟକ୍ଷତିର ଆକଳନ କରାଯିବା ପରେ ବାତ୍ୟା ପ୍ରଭାବିତମାନଙ୍କୁ ଉପଯୁକ୍ତ ସହାୟତା ଓ କ୍ଷତିପୂରଣ ପ୍ରଦାନ କରାଯିବ।

ସେ କହିଛନ୍ତି ଯେ, ବାତ୍ୟା ସମ୍ବନ୍ଧୀୟ ଦାୟିତ୍ୱ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ନିୟୋଜିତ ଅଧିକାରୀମାନେ ରବିବାର ଠାରୁ ଫେରିବା ଆରମ୍ଭ କରିବେ। ବାତ୍ୟା ଯୋଗୁଁ ଯେଉଁ ଚାଷୀଙ୍କ ଫସଲ ନଷ୍ଟ ହୋଇଛି, ସେମାନେ ସରକାରୀ ନିୟମ ଅନୁଯାୟୀ କୃଷି ସାମଗ୍ରୀ ପାଇଁ ସହାୟତା (ଇନପୁଟ୍ ସବସିଡି) ପାଇବେ। ଯେଉଁ ଚାଷୀଙ୍କ ଧାନ ଓଦା ହୋଇଛି, ନିୟମ ଅନୁସାରେ ସେମାନଙ୍କୁ କ୍ଷତିପୂରଣ ଦିଆଯିବ। ବନ୍ୟା ମୁକାବିଲା ପାଇଁ ଦୀର୍ଘ ମିଆଦୀ ଯୋଜନା ଆରମ୍ଭ ହୋଇଛି। ଓଡ଼ିଶାର ନଦୀ ବ୍ୟବସ୍ଥାକୁ ନେଇ DPR ପ୍ରସ୍ତୁତ କରାଯାଉଛି।

ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମ୍‌ର ଭିତ୍ତିଭୂମି ବିକାଶ କରାଯିବ। ୧୧ଟି ନଦୀ ସିଷ୍ଟମ୍ ମଧ୍ୟରୁ ମହାନଦୀ ଓ ରେଙ୍ଗାଲୀ ସିଷ୍ଟମ୍ ଠିକ୍‌ କାମ କରୁଛି। ଅନ୍ୟ ୮ଟି ନଦୀ ସିଷ୍ଟମ୍‌ର ବିକାଶ ପାଇଁ ଦୀର୍ଘମିଆଦୀ ରୋଡ୍‌ମ୍ୟାପ୍ ହେବ। ଏନେଇ IIT ରୁର୍କି ସହ ମଧ୍ୟ ଯୋଗାଯୋଗ କରାଯାଇଛି ବୋଲି କହିଛନ୍ତି ସୁରେଶ ପୂଜାରୀ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ବନ୍ୟା ପରିଚାଳନା ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ଏବଂ ଭବିଷ୍ୟତର ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତିକୁ ଉନ୍ନତ କରିବା ଲାଗି ରାଜ୍ୟ ସରକାର ଏକ ଦୀର୍ଘକାଳୀନ କାର୍ଯ୍ୟଯୋଜନା (ରୋଡମ୍ୟାପ୍) ପ୍ରସ୍ତୁତ କରୁଛନ୍ତି।

ସେ କହିଛନ୍ତି ଯେ, ସରକାର ୧୦୦ ବର୍ଷର ଦୂରଦୃଷ୍ଟି ନେଇ ଏକ ରଣନୀତି ପ୍ରସ୍ତୁତ କରୁଛନ୍ତି, ଯେଉଁଥିରେ ଆଠଟି ନଦୀ ପ୍ରଣାଳୀରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶାର ବିଭିନ୍ନ ନଦୀ ପ୍ରଣାଳୀ ସମ୍ବନ୍ଧରେ ଏକ ବିସ୍ତୃତ ତଥ୍ୟ ପ୍ରସ୍ତୁତ କରାଯାଉଛି।

Share