ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଅହେତୁକ ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିବାରୁ ଆଜି ସନ୍ଧ୍ୟାରେ ରଥଟଣା ସ୍ଥଗିତ ରଖାଯାଇଛି । ତିନି ଠାକୁର ଆଜି ରାତି ବଡ଼ଦାଣ୍ଡରେ ହିଁ ବିତାଇବେ । ତେବେ ରଥଟଣାରେ ହୋଇଥିବା ବିଳମ୍ବ ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟୀକରଣ ଦେଇଛନ୍ତି ।
ଆଇନ ମନ୍ତ୍ରୀଙ୍କ କହିବା ଅନୁଯାୟୀ, “ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ଶେଷ ହୋଇଥିଲା ଏବଂ ଅପରାହ୍ଣ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା । କିନ୍ତୁ ବଳଭଦ୍ରଙ୍କ ରଥ ମୋଡ଼ ନେବାକୁ ସମୟ ଲାଗିଥିଲା । ଏହା ସହିତ, ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ ଆଶାଠାରୁ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା, ଯାହା ରଥଟଣାକୁ ଧିମା କରିଦେଇଥିଲା ।” ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ବିଧି ରକ୍ଷା କରିବା ପାଇଁ ନନ୍ଦିଘୋଷ ରଥକୁ କିଛି ବାଟ ଟଣା ଯାଇଥିଲା ।
ଆଜି ଅପରାହ୍ଣ ପ୍ରାୟ ୪ଟା ୧୦ ମିନିଟରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲି ଅଭିମୁଖେ ଗଡ଼ିଥିଲା, ଯାହା ବଳଗଣ୍ଡି ଛକରେ ଅଟକି ରହିଛି । ଏହାପରେ ସନ୍ଧ୍ୟା ପ୍ରାୟ ୬ଟାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବାହାରି ମରିଚିକୋଟ ଛକରେ ପହଞ୍ଚିଛି । ଶେଷରେ ସନ୍ଧ୍ୟା ୭ଟା ୪୫ ମିନିଟରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଳ୍ପ ଦୂର ଆଗକୁ ବଢ଼ିବା ପରେ ଅଟକି ଯାଇଛି । ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ଯେ, “ସବୁ କିଛି ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି । ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୯ଟାରେ ପୁଣି ଥରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯିବ ।”