Ss

ପୁରୀ: ଲକ୍ଷ ଲକ୍ଷ ଭକ୍ତଙ୍କ ‘ହରିବୋଲ’ ଓ ‘ହୁଳହୁଳି’ ଧ୍ୱନିରେ ପ୍ରକମ୍ପିତ ବଡ଼ଦାଣ୍ଡରେ ଆଜି ସନ୍ଧ୍ୟାରେ ରଥଟଣା ସ୍ଥଗିତ ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରଥମ ଦିନରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ଛକରେ ଅଟକିଥିବା ବେଳେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରିଚିକୋଟରେ ପହଞ୍ଚିଛି। ବିଶ୍ୱନିୟନ୍ତା କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଅଳ୍ପ ଦୂର ଆଗକୁ ବଢ଼ିବା ପରେ ଅଟକି ଯାଇଛି। ଫଳରେ ମହାପ୍ରଭୁ ଆଜି ରାତି ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ହିଁ ବିତାଇବେ। ଆସନ୍ତାକାଲି ପୁଣି ରଥ ଗଡ଼ିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ଆଜି ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ସକାଳେ ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ଝୁଲିଝୁଲି ଆସି ନିଜ ନିଜ ରଥରେ ବିରାଜମାନ କରିଥିଲେ। ଏହାପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନା ଖଡ଼ିକାରେ ତିନି ରଥରେ ଛେରାପହଁରା କରିବା ପରେ ରଥଟଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।
ଅପରାହ୍ଣ ପ୍ରାୟ ୪ଟା ୧୦ ମିନିଟରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲି ଅଭିମୁଖେ ଗଡ଼ିଥିଲା। ପରେ ସନ୍ଧ୍ୟା ପ୍ରାୟ ୬ଟାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ରାତି ୭ଟା ୪୫ରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଶ୍ରଦ୍ଧାର ସହିତ ଟାଣିଥିଲେ। ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଗହଳି, ଘଣ୍ଟ, ଶଙ୍ଖ, ହରିବୋଲ ଓ ହୁଳହୁଳି ଧ୍ୱନିରେ ଏକ ଭାବମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୯ଟାରେ ପୁଣିଥରେ ରଥଟଣା ଆରମ୍ଭ ହେବ।
ଶ୍ରୀଜିଉଙ୍କ ଏହି ୯ ଦିନିଆ ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଛି। ଦେଶବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀରେ ଏକତ୍ରିତ ହୋଇଛନ୍ତି। ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବହାଦୂର ଖୁରାନିଆଙ୍କ ସୂଚନା ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଥର ପାଇଁ ‘ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ’ ମାଧ୍ୟମରେ ୨୭୫ଟି ଏଆଇ କ୍ୟାମେରା ଦ୍ୱାରା ଟ୍ରାଫିକ ଓ ଭିଡ଼ ଉପରେ ନଜର ରଖାଯାଇଛି। ଏହା ସହିତ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍, ଆଣ୍ଟି-ସାବୋଟାଜ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ମୁତୟନ କରାଯାଇଛି। ମୋଟ ୨୦୫ ପ୍ଲାଟୁନ୍ ପୋଲିସ ଫୋର୍ସ, ୧୨୦୦ ଅଧିକାରୀ, ଜଳପଥ ସୁରକ୍ଷା ପାଇଁ ମେରାଇନ୍ ପୋଲିସ, କୋଷ୍ଟଗାର୍ଡ ଓ ନୌବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି।

Share