Last rites 1

ଉମରକୋଟ: ଅଧର୍ଯ୍ୟ ପରିବାର । କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ସମସ୍ତଙ୍କ ଆଖିରେ ଲୁହ ଓ ଛାତିରେ କୋହ । ଗୋଟେ ପଟେ ହରିନାମ ଶବ୍ଦକୁ ଆରପଟେ ତିନି ତିନି ଜଣଙ୍କ ମୃତଦେହକୁ ଧରି ଆଗେଇ ଚାଲିଥାନ୍ତି ଗାଁ ଭାଇ । ଏଭଳି ତିନି ତିନିଟା କୋକେଇ ଏକାଠି ଉଠିବା ଘଟଣା କେବେ ଦେଖିନଥିଲେ ଗାଁ ଲୋକେ ।

ବିଧାତାର ଖେଳ ସତରେ କେତେ ବିଚିତ୍ର । ଜୁଇରେ ଏକାଠି ଜଳିଲା ପରିବାରର ୩ଟା ଭେଣ୍ଡିଆ ପୁଅଙ୍କ ମୃତଦେହ । ନିଶ୍ଚିହ୍ନ ହୋଇଗଲା ପୁରା ପରିବାର । ଏକାଠି ଜଳିଲା ୩ ଭାଇଙ୍କ ଜୁଇ । ଯାହାକୁ ନେଇ ପୁରା ଗାଁ ସ୍ତବ୍ଧ । ପୁରା ଶୋକାକୂଳ ପରିବେଶରେ ସମାପନ ହେଇଛି ସମସ୍ତଙ୍କ ଶେଷକୃତ୍ୟ । ଗାଁ ଲୋକଙ୍କ କାନ୍ଧରେ ମଶାଣି ଯିବାଠାରୁ ଆରମ୍ଭ କରି ଶେଷକୃତ୍ୟ ପର୍ଯ୍ୟନ୍ତ କାହା ଆଖିରୁ ଲୁହ ଶୁଖୁନଥିଲା ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ସିରାଗୁଡା ସାହିରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର ସାଗର ଜୈନ, ଅଙ୍କୁର ଜୈନ ଓ କ୍ରିସ୍ ଜୈନ ତିନି ଭାଇଙ୍କର ହୋଇଛି ଅକାଳ ବିୟୋଗ । ଯାହା ଖବର ମିଳିଛି, କୌଣସି କାମ ପାଇଁ ତିିନି ଭାଇ କାରରେ ପୁଫୁଗାଁ ଯାଉଥିଲେ । ଖୁବ୍ ହସ ଖୁସିରେ ଯାତ୍ରା ଆରମ୍ଭ କରିଥିଲେ ଏମାନେ । ହେଲେ କିଏ ଜାଣିଥିଲା ଏମାନଙ୍କ ଖୁସି ବେଶି ସମୟ ରହିବ ନାହିଁ ବୋଲି । ତେବେ ଗାଡିରେ ଯାଉଥିବାବେଳେ ଡାଇନିଗୁଡା ନିକଟରେ ଭାରସାମ୍ୟ ହରାଇ ଗାଡିଟି ଏକ ଗଛରେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଭ୍କର ଥିଲା ଯେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲ ନେବା ବାଟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା ।

ମୃତକଙ୍କ ବୟସ ୧୯ରୁ ୨୨ ବର୍ଷ ମଧ୍ୟରେ ହେବ । ତିନି ଭାଇଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଏକାଠି ଜଳିଲା ସମୂହ ଜୁଇ । ପଞ୍ଚଭୂତରେ ଲୀନ ହେଲେ ତିନି ଭାଇ । କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ । କେହି ବି କୋହକୁ ଅଟକାଇ ପାରୁନଥିଲେ । ତିନି ଭାଇଙ୍କ ମୃତ୍ୟୁ ପରେ ପୁରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Share