ପୁରୀ: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ପରେ ସରକାରୀ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାକୁ ଏକ ମର୍ମାହତକାରୀ ଘଟଣା ବୋଲି କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସୁରକ୍ଷା ଅବହେଳାକୁ ‘ଅକ୍ଷମଣୀୟ’ ବୋଲି ସ୍ୱୀକାର କରିଛନ୍ତି।
ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ‘X’ (ପୂର୍ବତନ ଟୁଇଟର) ମାଧ୍ୟମରେ ନିଜର ଶୋକବାର୍ତ୍ତା ଜଣାଇଛନ୍ତି। ସେ ଲେଖିଛନ୍ତି, “ଏହି ଘଟଣାରେ ମୁଁ ଅତ୍ୟନ୍ତ ମର୍ମାହତ। ମହାପ୍ରଭୁଙ୍କ ନିକଟରେ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।” ଏଥିସହ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଥିବା ଏବଂ ସେମାନଙ୍କ ଆଶୁଆରୋଗ୍ୟ କାମନା କରୁଥିବା ସେ କହିଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି, “ଏହି ଘଟଣା ପାଇଁ ମୁଁ ଓ ମୋ ସରକାର କ୍ଷମା ମାଗୁଛୁ। ଏହି ଅବହେଳା ଅକ୍ଷମଣୀୟ।” ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ, ମନ୍ଦିର ପ୍ରଶାସନ ପକ୍ଷରୁ ଆଗାମୀ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଆଲୋଚନା ଆରମ୍ଭ ହୋଇଛି। ଆଡ଼ପ ମଣ୍ଡପ ପହଣ୍ଡି ବିଜେ ନୀତି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ କରିବାକୁ ଆଲୋଚନା ଚାଲିଛି। ଏଥିସହ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଧ୍ୟ ଦ୍ୱିତୀୟ ଦିନରେ ଜାରି ରହିଛି। ଏକ ୧୩ ଜଣିଆ ବିଶେଷଜ୍ଞ ଦଳ ସହ ଆଲୋଚନା କରାଯାଇଛି ଏବଂ ନୀଳାଦ୍ରି ବିଜେ ପୂର୍ବରୁ ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।