ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାକୁ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ରଥଯାତ୍ରା ପରିଚାଳନାରେ ସରକାରଙ୍କ ଚରମ ଉଦାସୀନତା ଓ ପ୍ରଶାସନିକ ବିଫଳତା ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଲା ବୋଲି ସେ କହିଛନ୍ତି।
ନିଜ ସୋସିଆଲ ମିଡିଆ ପୋଷ୍ଟରେ ନବୀନ ଲେଖିଛନ୍ତି, “ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଭିଡ଼ ପରିଚାଳନା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିଲା, ଯାହା କର୍ତ୍ତବ୍ୟରେ ଗୁରୁତର ଅବହେଳାକୁ ଦର୍ଶାଉଛି।” ସେ ଆହୁରି ମଧ୍ୟ ରଥଯାତ୍ରା ଦିନ ନନ୍ଦିଘୋଷ ରଥ ଟାଣିବାରେ ହୋଇଥିବା ଅତ୍ୟଧିକ ବିଳମ୍ବକୁ ‘ମହାପ୍ରଭୁଙ୍କ ଇଚ୍ଛା’ କହି ପ୍ରଶାସନ ନିଜ ଦାୟିତ୍ୱହୀନତାକୁ ଲୁଚାଇବାକୁ ଚେଷ୍ଟା କରିଥିଲା ବୋଲି ଅଭିଯୋଗ କରିଛନ୍ତି।
ନବୀନ କହିଛନ୍ତି, “ସେତେବେଳେ ମୁଁ ଅପରାଧିକ ଅବହେଳା ପାଇଁ ସରକାରଙ୍କୁ ଦାୟୀ କରିବାରୁ ନିବୃତ୍ତ ରହିଥିଲି, କିନ୍ତୁ ସେମାନଙ୍କ ଚରମ ଉଦାସୀନତା ହିଁ ଆଜିର ଦୁର୍ଘଟଣା ପାଇଁ ନିଃସନ୍ଦେହରେ ଦାୟୀ।”
ଆଗକୁ ଆଡ଼ପ ବିଜେ, ବାହୁଡ଼ା ଓ ସୁନାବେଶ ଭଳି ପ୍ରମୁଖ ନୀତିକାନ୍ତି ଥିବାରୁ, ସରକାର ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଶେଷରେ, ସେ ଶରଧାବାଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନିଜଣ ଭକ୍ତଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।