ପଟ୍ଟାମୁଣ୍ଡାଇ ୧୦।୦୮ : କାଠିଆପଡ଼ା ଛାତ୍ରୀ ମୃତ୍ୟୁ ଘଟଣା । ଖୋଲିବ କି ରହସ୍ୟ । ଘଟଣାର ତଦନ୍ତ ଚାଲୁଥିବା ବେଳେ ପୋଲିସକୁ ମିଳିଛି ନୂଆ ତଥ୍ୟ । ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କ ମୋବାଇଲ୍ରୁ ଏକାଧିକ ଅଶ୍ଳୀଳ ଭିଡିଓ ମିଳିଥିବା ସୂଚନା । ଘଟଣାର ପୂର୍ବ ଦିନ କୁଆଡେ ଅଭିଯୁକ୍ତ ଜଣଙ୍କ ଛାତ୍ରୀଙ୍କ ମୋବାଇଲରେ କଥା ହୋଇଥିଲେ । ଏପିରିକି ଛାତ୍ରୀଜଣଙ୍କ ଯେଉଁଦିନ ଆତ୍ମାଦାହ କରିଥିଲେ, ତାର କିଛି ସମୟ ପୂର୍ବରୁ କୁଆଡେ ପୁରୁଷବନ୍ଧୁଙ୍କ ଜଣେ ଫୋନ୍ ଜରିଆରେ କଥା ହୋଇଥିଲେ। ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ନେଇ ପୋଲିସ ପାଖରେ ଅନେକ ପ୍ରମାଣ ଥିବା ସୂଚନା ରହିଛି । ତେଣୁ ଆଗାମୀ ଦିନରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇପାରେ ।
ଅନ୍ୟପଟେ ଛାତ୍ରୀଙ୍କ ଘର ପାଖକୁ ଲାଗିଥିବା ପଡୋଶୀଙ୍କ ଘରେ ଲାଗିଥିବା ସିସି କ୍ୟାମେରାକୁ ତନତନ କରି ଯାଞ୍ଚ କରୁଛି ପୋଲିସ । ମୃତ ଛାତ୍ରୀଙ୍କ ବାପା- ମା’ ଘଟଣା ଦିନ କେତେବେଳେ ଘରୁ ବାହାରି ପଟ୍ଟାମୁଣ୍ଡାଇ ଯାଇଥିଲେ ଏବଂ କେତେବେଳେ ଫେରି ଆସିଥିଲେ ସେନେଇ ପୋଲିସର ଦ୍ବନ୍ଦ୍ବ ରହିଛି । ଏହି ସିସି କ୍ୟାମେରା ହିଁ ସେହି ଦ୍ବନ୍ଦ୍ବ ଉପରୁ ପରଦା ଉଠାଇବାରେ ସକ୍ଷମ ହେବ । ଏବେ ସିସି କ୍ୟାମେରା ସାମ୍ନାକୁ ଆସିବା ପରେ ସାଧାରଣରେ ନାନା ପ୍ରଶ୍ନ ମୁଣ୍ଡ ଟେକିଛି । ବାପା, ମା’ ନିଜ ବୟାନରେ କହିଥିବା ସମୟ ଓ ସିସି କ୍ୟାମେରାରେ ରେକର୍ଡ ହୋଇଥିବା ସମୟରେ କିଛି ରହିଛି ପାର୍ଥକ୍ୟ ? ବାପା, ମା’ ଗୋଟେ କଥା କହିଥିବା ବେଳେ ସିସି କ୍ୟାମେରାରେ କିଛି ଭିନ୍ନ ଘଟଣା ରେକର୍ଡ ହୋଇଛି କି ? ନା ପୋଲିସ ସିସି କ୍ୟାମେରାରେ ପାଇଛି ଛାତ୍ରୀ ଆତ୍ମହତ୍ୟା ନେଇ କିଛି ଚମକାଇ ଦେବା ଭଳି ପ୍ରମାଣ । ଏସବୁ ଉପରେ ଚାଲିଛି ପୋଲିସର କସରତ।