ଭୁବନେଶ୍ୱର: ଶାରଦୀୟ ଦଶହରା ପାଇଁ ଟ୍ବିନ ସିଟିରେ ଆଜିଠୁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି । କଟକ ସହରରେ ଦିନ ୨ଟାରୁ ରାତି ଦୁଇଟା ପର୍ଯ୍ୟନ୍ତ ଏହି କଟକଣା ରହିବ। ଏହି ବ୍ୟବସ୍ଥା ଆସନ୍ତା ଅକ୍ଟୋବର ୨ ତାରିଖ ଦଶହରା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସମାନ କଟକଣା ଲାଗୁ ହୋଇଛି । ପୂଜାରେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କମିସନରେଟ ପୋଲିସ ।
କଟକ ସହରରେ ପୂଜା ସମୟରେ ଯାନବାହନ ଚଳାଚଳ ବ୍ୟବସ୍ଥିତ କରିବା ପାଇଁ ସହରର ବହୁ ମୁଖ୍ୟ ରାସ୍ତାରେ ୱାନ୍ୱେ ଟ୍ରାଫିକ ବ୍ୟବସ୍ଥା ଲାଗୁ କରାଯାଇଛି । ଏନେଇ ପୋଲିସ କମିସନର ଏସ୍ ଦେବଦତ୍ତ ସିଂହ ସୂଚନା ଦେବା ସହ ଏଥିରେ ସହଯୋଗ କରିବାକୁ ସେ’ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ।
ତେବେ କଟକରେ ଟ୍ରାଫିକ୍ କଟକଣା ଅନୁସାରେ, ହାୱଡ଼ାମୋଟର ଛକଠାରୁ କୌଣସି ଯାନବାହାନ ମଙ୍ଗଳାବାଗ ଛକକୁ ଯାଇପାରିବ ନାହିଁ । ମଙ୍ଗଳାବାଗରୁ ଗାଡ଼ିଗୁଡ଼ିକ କାଠଗୋଲା କିମ୍ୱା ମହ୍ଲାସାହି ଆଡକୁ ଯିବନି । ବଜ୍ରକବାଟୀ ରୋଡ୍ରୁ ରାଣୀହାଟ ଛକକୁ ଯିବନି ଗାଡି ମଟର । ଥୋରିଆ ସାହି ଓ ବଣିଆସାହି ଛକରୁ ବଢେଇସାହି ଗାଡ଼ିକୁ ଅନୁମତି ନାହିଁ । ସେହିପରି, ଦୋଳମୁଣ୍ଡାଇ ଛକରୁ ଆସୁଥିବା ଗାଡ଼ି ମହତାବ ରୋଡ୍ ଦେଇ କେବଳ ଛତ୍ରବଜାର ଓ ମାଲଗୋଦାମ ଯାଇପାରିବେ । ଏହି ରାସ୍ତାରେ ବିପରୀଦ ଦିଗରୁ ଗାଡ଼ି ଆସିପାରିବ ନାହିଁ । ଛତ୍ରବଜାର ବ୍ରିଜ୍ ଠାରୁ ପିଲଗ୍ରିମ୍ ରୋଡ ହୋଇ କଲେଜଛକ ଗାଡ଼ି ଯାଇପାରିବ ନାହିଁ ।
ପୂଜା ଦିନରେ ସହର ମଧ୍ୟ ଦେଇ କୌଣସି ପ୍ରକାରର ବସ୍ ଚଳାଚଳ କରିବ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବମ୍ୱେ ହୋଟେଲ ପାଖରୁ ପୋଷ୍ଟ ଅଫିସ ହୋଇ କଲେଜଛକ ଦେବୀ ଘର ଆଡକୁ କୌଣସି ଯାନ ଯିବାକୁ ଅନୁମତି ନାହିଁ । ମାଲଗୋଦାମଠାରୁ ମାଲଗୋଦାମ ଫ୍ଲାଏଓଭର ବ୍ରିଜକୁ ଗାଡ଼ି ପ୍ରବେଶ ମନା । ପିଠାପୁର ଓ ଝୋଲାସାହିରୁ ଗୋପାଳଜୀଉ ଲେନ୍, ବଙ୍ଗାଳି ସାହି ଏବଂ ନନ୍ଦୀସାହିକୁ ଗାଡ଼ି ଚଳାଚଳ ମନା । ପୁରୁଣା ଜେଲ ରୋଡ୍ ଛକରୁ ଚୌଧୁରୀ ବଜାର ଛକ ଆଡ଼କୁ ଗାଡ଼ି ଚଳାଚଳ ଅନୁମତି ନାହିଁ । ଚୌଧୁରୀ ବଜାର ଛକରୁ ଗୌରୀଶଙ୍କର ପାର୍କକୁ ଯାନବାହନ ଯିବା ବାରଣ କରାଯାଇଛି । ବାଲୁବଜାର ଛକରୁ ନିମଚୌରୀ ଛକ, ଇପାରିଗୋବିନ୍ଦ ଜୁଏଲାରୀ ଛକ ଏବଂ ଚାନ୍ଦିନୀ ଚୌକକୁ ଯିବା ପାଇଁ କଟକଣା ଲାଗୁ କରାଯାଇଛି ।
ସେହିପରି ଖାନନଗର ମଣି ମନ୍ଦିର ଛକରୁ ଜୁଡିସିଆଲ୍ ଏକାଡେମୀ ଛକ ପର୍ଯ୍ୟନ୍ତ ରିଙ୍ଗ ରୋଡରେ ଭାରୀଯାନ ଚଳାଚଳ କରିପାରିବ ନାହିଁ । ନୂଆବଜାର ଛକରୁ ଓଏମ୍ପି ଛକ ଆଡକୁ ଚାରି ଚକିଆ ଏବଂ ଭାରୀଯାନ ଯିବାକୁ ଅନୁମତି ନାହିଁ । ଅପରାହ୍ନ ୪ଟାରୁ ରାତ୍ର ୧୨ଟା ପାର୍ଯନ୍ତ କିମ୍ୱା ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ନୂଆବଜାର ଛକ ମଧ୍ୟରେ କୌଣସି ଭାରୀଯାନ ଚଳାଚଳ କରିପାରିବ ନାହିଁ ।
ଅନ୍ୟପଟେ, ଭୁବନେଶ୍ବରର ବାଣୀବିହାର ଛକ ଠାରୁ ଶିଶୁଭବନ ଛକ ଏବଂ ସତ୍ୟନଗର, ରାମ ମନ୍ଦିର, ମାଷ୍ଟର କ୍ୟାଣ୍ଟନ ଏବଂ ଆଚାର୍ଯ୍ୟ ବିହାର ଛକ ଠାରୁ କଳିଙ୍ଗ ହସ୍ପିଟାଲ ଛକ ଏବଂ ସୈନିକ ସ୍କୁଲ ଛକ ସଂଲଗ୍ନ ରାସ୍ତାରେ ମଧ୍ୟ ଭାରୀଯାନ ଚଳାଚଳ କରିପାରିବ ନାହିଁ । ଆଚାର୍ଯ୍ୟ ବିହାର ଛକ ଠାରୁ ନିୟୁ ଏୟାରପୋର୍ଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ ମଧ୍ୟ ଭାରୀଯାନକୁ ଅନୁମତି ନାହିଁ ।

