Police dikshanta 2026 04 06 18 54 16

ଭୁବନେଶ୍ୱର: ସୋମବାର ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ୯ମ ବ୍ୟାଚ୍‌ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।
ଡିଜିପି ନିଜ ବକ୍ତବ୍ୟରେ କହିଥିଲେ,, ଏକାଡେମୀ ପକ୍ଷରୁ ପ୍ରଦାନ କରାଯାଇଥିବା ଗୁଣାତ୍ମକ ପ୍ରଶିକ୍ଷଣ ନୂତନ ଅଧିକାରୀମାନଙ୍କୁ ଦାୟିତ୍ୱବାନ, ସକ୍ଷମ ଓ ପେଶାଦାର ଭାବେ ଗଢ଼ି ତୋଳିବ। ଆଗାମୀ ଦିନରେ ସାଇବର ଅପରାଧ, ସଂଗଠିତ ଅପରାଧ ଓ ଅନ୍ୟାନ୍ୟ ଚ୍ୟାଲେଞ୍ଜକୁ ସାହସ ଓ ସତ୍ୟନିଷ୍ଠାର ସହିତ ମୁକାବିଲା କରିବା ପାଇଁ ଡିଜିପି ପରାମର୍ଶ ଦେଇଥିଲେ।
ନବମ ବ୍ୟାଚର ୫ ଜଣ ଡିଏସ୍‌ପି ସଫଳତାର ସହ ମୌଳିକ ପ୍ରଶିକ୍ଷଣ ସମାପ୍ତ କରି ଏହି ଦୀକ୍ଷାନ୍ତ ସମାରୋହରେ ଭାଗ ନେଇଥିଲେ। ଏହି ଅବସରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଡିଜିପି କୃତୀ ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ମାନିତ ଓ ପୁରସ୍କୃତ କରିଥିଲେ। ସୃଷ୍ଟି ପ୍ରଧାନଙ୍କୁ ସର୍ବଶ୍ରେଷ୍ଠ ପ୍ରୋବେସନର ଭାବେ ଗଭର୍ଣ୍ଣର ମେଡାଲ ଓ ଟ୍ରଫି ସହିତ ଇନଡୋର ବିଷୟରେ ସର୍ବୋଚ୍ଚ ନମ୍ବର ଓ ଏନ୍‌ଆଇସିଏଫ୍‌ଏସ୍‌ ମେଡାଲ୍ ଅର୍ଜନ କରିଥିଲେ। ସେହିପରି ସୌରଭ ରଞ୍ଜନ ପ୍ରଧାନ ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରୋବେସନର ଭାବେ ସମ୍ମାନିତ ହେବା ସହ ଆଉଟଡୋର ବିଷୟରେ ସର୍ବୋଚ୍ଚ ନମ୍ବର ପାଇଥିଲେ । ପଙ୍କଜ ମାଝୀ ଏଇଟି କୋର୍ସରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଡାଇରେକ୍ଟର ଟ୍ରଫି ଲାଭ କରିଥିଲେ।
ସମାରୋହରେ ଏକାଡେମୀର ନିର୍ଦ୍ଦେଶିକା ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ମହିଳା ଓ଼ ଶିଶୁ ଅପରାଧ ନିରାକରଣ ଶାଖା) ଏସ୍‌ ସାଇନି, ବରିଷ୍ଠ ପୁଲିସ ଅଧିକାରୀ, ଅବସରପ୍ରାପ୍ତ ଅଧିକାରୀ, ପ୍ରଶିକ୍ଷାର୍ଥୀଙ୍କ ପରିବାରବର୍ଗ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Share