ଭଭ

କଟକ: ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଓ ବଡ଼ଡାକ୍ତରଖାନା ଗୁଡ଼ିକରେ ଦଲାଲଙ୍କ କାରବାର ବଢ଼ିବାରେ ଲାଗିଛି। ବିଶେଷ କରି ରାଜ୍ୟର ବଡ଼ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଚିକିତ୍ସା, ରକ୍ତଯୋଗାଇବା ଆଳରେ ଦଲାଲ୍‌ ଗୋଷ୍ଠୀ ରୋଗୀ ସଂପର୍କୀୟଙ୍କ ଠାରୁ ଲୁଟି ନେଉଥିବା ଦେଖିବାକୁ ମିଳୁଛି। ଦଲାଲ୍‌ଙ୍କ ଏକ ରାକେଟ୍ ସକ୍ରିୟ ଭାବେ କାମ କରୁଥିବା ବେଳେ ଉତ୍ତମ ଚିକିତ୍ସା ଆଳରେ ସରକାରୀ ଡାକ୍ତରଖାନାରୁ ଘରୋଇ ଚିକିତ୍ସାଳୟକୁ ନେବା ପାଇଁ ବି ଏହି ଗୋଷ୍ଠୀ କାମ କରୁଛନ୍ତି।
କଟକ ମଙ୍ଗଳବାଗ ଥାନା ପୁଲିସ ତିନି ରକ୍ତ ଦଲାଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ତିନି ଦଲାଲ୍‌ ହେଲେ ବାରି ଅଞ୍ଚଳର ଶିବ ମହାନ୍ତି, କେନ୍ଦ୍ରାପଡ଼ାର ଅବିନାଶ ରାଉତ ଓ ଜଗତସିଂହପୁର ଅଞ୍ଚଳର ଧନେଶ୍ବର ମହାନ୍ତି। ଏହି ଦଲାଲ୍‌ମାନେ କଟକ ଏସ୍‌ସିବି ବଡ଼ଡାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସଂପର୍କୀୟଙ୍କୁ ଟାର୍ଗେଟ୍‌ କରଉଥିଲେ। ରକ୍ତ ପାଇଁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସଂପର୍କୀୟଙ୍କୁ ରକ୍ତ ଯୋଗାଇ କରାଇ ଦେବାର ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ ଟଙ୍କା ହଡ଼ପ କରୁଥିଲେ। ବାଲିକୁଦା ଅଞ୍ଚଳର ବିବେକାନନ୍ଦ ବେହେରା ଏହି ଦଲାଲଙ୍କ ଠକେଇର ଶିକାର ହୋଇ ମଙ୍ଗଳାବାଗ ଥାନାରେ ଏତଲା କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ତିନି ଦଲାଲ୍‌ଙ୍କୁ ଗିରଫ କରିଥିବା ଜଣାଯାଇଛି।

Share