ନୂଆଦିଲ୍ଲୀ : ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଜଷ୍ଟିମ ଯଶୱନ୍ତ ବର୍ମା ବିରୋଧରେ ଗତବର୍ଷ ମାର୍ଚ୍ଚ ୧୪ରେ ଦିଲ୍ଲୀର ସରକାରୀ ବାସଭବନରେ ନିଆଁ ଲାଗିବା ଯୋଗୁଁ ବିପୁଳ ଟଙ୍କା ଧରାପଡିଥିଲା । ଏତେ ମାତ୍ରାର ନଗଦ କ୍ୟାସ୍ ମିଳିବା ପରେ ତାଙ୍କ ବିରୋଧରେ ମହାଭିଯୋଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଅଗଷ୍ଟ ୨୦୨୫ରେ ଲୋକସଭା ଅଧ୍ୟକ୍ଷ ଓମ ବିରଲା ୧୪୬ ଜଣ ସାଂସଦଙ୍କ ହସ୍ତାକ୍ଷର ସହିତ ମହାଅଭିଯୋଗ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ।
ଜଷ୍ଟିସ ବର୍ମାଙ୍କୁ ପଦରୁ ହଟାଇବା ପାଇଁ ସଂସଦରେ ବହିଷ୍କାର ପ୍ରକ୍ରିୟା (Impeachment) ଚାଲିଥିଲା । ଯଦି ସଂସଦ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ବହିଷ୍କାର କରିଥାନ୍ତା, ତେବେ ସେ ନିଜର ପେନସନ ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ହରାଇଥାନ୍ତେ । ତେଣୁ ଏହି ସରକାରୀ ସୁବିଧାଗୁଡ଼ିକୁ ବଞ୍ଚାଇବା ପାଇଁ ସେ ବହିଷ୍କାର ପ୍ରକ୍ରିୟା ଶେଷ ହେବା ପୂର୍ବରୁ ନିଜ ଆଡ଼ୁ ଇସ୍ତଫା ପତ୍ର ଦେଇଛନ୍ତି ।
ଗତ ମାର୍ଚ୍ଚ ୧୪ ତାରିଖରେ ତତ୍କାଳୀନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବାସଭବନ ଆଉଟ ହାଉସରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲିଭାଇବାକୁ ପହଞ୍ଚିଥିବା ଅଗ୍ନିଶମ କର୍ମଚାରୀ ବିପୁଳ ପରିମାଣର ନଗଦ ଟଙ୍କା ପୋଡି ଯାଇଥିବା ଦେଖିଥିଲେ । ବିଚାରପତିଙ୍କ ବାସଭବନରେ ଏତେ ଟଙ୍କା କୁଆଡୁ ଆସିଲା ତାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହୋଇଥିଲା ।
ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା ତିନି ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଘଟଣା ସମ୍ପର୍କରେ ତଦନ୍ତ ପାଇଁ ମାର୍ଚ୍ଚ ୨୨ ତାରିଖରେ ଇନହାଉସ କମିଟି ଗଠନ କରିଥିଲେ । ଏହି କମିଟି ନିଜ ରିପୋର୍ଟରେ ଜଷ୍ଟିସ ବର୍ମାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ଏହାପରେ ଜଷ୍ଟିସ ଯଶୱନ୍ତ ବର୍ମାଙ୍କୁ ତାଙ୍କ ପ୍ୟାରେଣ୍ଟ ହାଇକୋର୍ଟ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା ।

