ସୋର: ପାଇପ ମିସ୍ତ୍ରୀଙ୍କ ପୁଅ ହେଲେ ରାଜ୍ୟର ମାଟ୍ରିକ ଟପ୍ପର । ମୟୂରଭଞ୍ଜ ବାରିପଦା ପୌରପାଳିକା ମଧୁବନ ଅଞ୍ଚଳର ପାର୍ଥସାରଥୀ ମହାନ୍ତ ହୋଇଛନ୍ତି ରାଜ୍ୟ ଟପ୍ପର । ମୋଟ ୬୦୦ ମାର୍କରୁ ୫୮୮ ମାର୍କ ରଖିଛନ୍ତି ପାର୍ଥସାରଥୀ । ପରୀକ୍ଷା ପାଇଁ ପ୍ରତିଦିନ ସେ ୫ ରୁ ୬ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରୁଥିଲେ। ସଂସ୍କୃତ ଓ ଗଣିତରେ ୧୦୦ରୁ ୧୦୦ ନମ୍ବର ପାଇଛନ୍ତି ପାର୍ଥସାରଥୀ । ପାର୍ଥଙ୍କ ବାପା ଜଣେ ବାଇକ ମିସ୍ତ୍ରୀ ହୋଇଥିବା ବେଳେ ମାଆ ଅଙ୍ଗନବାଡ଼ି କର୍ମୀ ଅଟନ୍ତି । ତେବେ ଭବିଷ୍ୟତରେ ପ୍ରଶାସନିକ ସେବା ଅଧିକାରୀ ହେବାକୁ ଇଚ୍ଛା ଥିବା ପାର୍ଥ କହିଛନ୍ତି । ନିଜ ସଫଳତାର ଶ୍ରେୟ ସେ ଈଶ୍ୱର ଏବଂ ପିତା, ମାତା, ଗୁରୁଜୀ ଓ ଗୁରୁମାଙ୍କୁ ଦେଇଛନ୍ତି।
ସେହିପରି ମାଟ୍ରିକ ପରୀକ୍ଷାରେ ରାଜ୍ୟର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ବାଲେଶ୍ବର ସୋର ବ୍ଲକ କୃଷ୍ଣଚନ୍ଦ୍ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଶୁତୋଷ ନାୟକ । ସେ ସର୍ବମୋଟ ୫୮୮ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଆଶୁତୋଷ କହିଛନ୍ତି, ଭବିଷ୍ୟତରେ ଡାକ୍ତର ହେବେ । ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର କାନପୁର ଗାଁରେ ଆଶୁତୋଷଙ୍କ ଘର। ବାପା ରତ୍ନାକର ନାୟକ ଭଦ୍ରକସ୍ଥିତ ପିଡବ୍ଲୁଡି ବିଭାଗରେ କ୍ଲର୍କ ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ନିର୍ମଳା ମହାନ୍ତି ଶିକ୍ଷୟିତ୍ରୀ ଭାବେ ଧାନଵର ଖୁଣ୍ଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।
ଅନ୍ୟପଟେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତର ଜନ୍ମଜୟ ମହାନ୍ତି ୫୮୩ ନଂ ରଖି ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ନିଜ ସଫଳତାର ଶ୍ରେୟ ବାପା-ମାଆ ଓ ନିଜ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଦେଇଥିବା ବେଳେ, ଆଗକୁ ଡାକ୍ତର ହେବାର ସ୍ବପ୍ନ ଥିବା କହିଛନ୍ତି ଜନ୍ମଞ୍ଜୟ ।

