Fbggfg

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରହିଛି ଅନେକ କାର୍ଯ୍ୟାଳୟ, ସ୍ବୟଂଶାସିତ ସଂସ୍ଥା ଏବଂ ପ୍ରେକ୍ଷାଳୟ। ହେଲେ ଏସବୁର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବେ ଦିଗହରା। ବିଭିନ୍ନ ଏକାଡେମୀର ଥିବା ବାଇ-ଲ’ ଅନୁସାରେ କୌଣସି କାର୍ଯ୍ୟ ହେଉନଥିବା ଅଭିଯୋଗ ହେଉଛି। ବିଭାଗ ପକ୍ଷରୁ ପୁରୁଣା କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉନଥିବାବେଳେ ନୂଆ କାର୍ଯ୍ୟକ୍ରମ ଆଗେଇ ପାରୁନାହିଁ। କେବଳ ଏତିକି ନୁହେଁ ବିଭାଗର ମେରୁଦଣ୍ଡ କୁହାଯାଉଥିବା ୪ ଏକାଡେମୀ ଏବେ ଦୃଷ୍ଟି ଆଢ଼ୁଆଳରେ ରହିଛି। ବିଭାଗକୁ ରାଜ୍ୟ ସରକାର ଅବହେଳା କରି ଚାଲିଥିବା ଅଭିଯୋଗ ହୋଇଛି।

୨୦୨୬-୨୭ ବର୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମୋଟ ବଜେଟ ରହିଛି ପ୍ରାୟ ୬୧୫ କୋଟି। ଏଥିରୁ କେବଳ ୫୭୦ କୋଟି ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ କରାଯିବାକୁ ବଜେଟରେ ପ୍ରାବଧାନ ରହିଛି। ହେଲେ କ୍ୟାଲେଣ୍ଡର ଅନୁସାରେ କାର୍ଯ୍ୟକ୍ରମ କରାଯାଉନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ବିଭାଗ ଅଧୀନରେ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ଏବଂ ଓଡ଼ିଶା ଲଳିତକଳା ଏକାଡେମୀ ରହିଛି। ହେଲେ ଏହି ଚାରି ଏକାଡେମୀର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ସଙ୍ଗୀତ ନାଟକ ଏକାଡେମୀକୁ ବାଦ୍‌ ଦେଲେ ଅନ୍ୟ କୌଣସି ଏକାଡେମୀର ସାଧାରଣ ପରିଷଦ ନାହିଁ। ଏହାଛଡ଼ା ସାହିତ୍ୟ ଏକାଡେମୀରେ କେବଳ ନିୟମିତ ସଚିବ ଥିବାବେଳେ ଅନ୍ୟ ତିନି ଏକାଡେମୀରେ ନିୟମିତ ସଚିବ ନାହାନ୍ତି। ସେହିପରି କୌଣସି ଏକାଡେମୀରେ ଏବେ ସଭାପତି ଓ ଉପସଭାପତି ନାହାନ୍ତି। ଏହାଦ୍ବାରା ନୂଆ କାର୍ଯ୍ୟକ୍ରମ ତ୍ବରାନ୍ବିତ ହେଉନଥିବାବେଳେ କାର୍ଯ୍ୟ ବିଳମ୍ବ ହେଉଛି। କେବଳ ସେତିକି ନୁହେଁ, ଉର୍ଦ୍ଦୁ ଏକାଡେମୀକୁ ବାଦ୍‌ ଦେଲେ ଅନ୍ୟ ସବୁ ଏକାଡେମୀରେ ମୂଳ ପଦବୀ ଅନୁସାରେ ମାନବସମ୍ବଳର ଅଭାବ ରହିଛି। ଯେଉଁମାନେ ପୂର୍ବରୁ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ମଧ୍ୟ ନିୟମିତ କରାଯାଉନାହିଁ। ଏହାଛଡା ପୁରସ୍କାର କାର୍ଯ୍ୟ ମଧ୍ୟ ଅଧୁରା ରହିଛି। ଅସ୍ମିତାକୁ ନେଇ ନୂଆ ସରକାର କ୍ଷମତାକୁ ଆସିବା ଆସନ୍ତା ଜୁନରେ ଦୁଇ ବର୍ଷ ପୂରିବ, ହେଲେ ସଂସ୍କୃତି ବିଭାଗ ଅବସ୍ଥା ଯଥା ପୂର୍ବଂ ତଥା ପରଂ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏପର୍ଯ୍ୟନ୍ତ କୌଣସି ନୂଆ ନିଯୁକ୍ତି ହୋଇପାରିଲା ନାହିଁ। ସଂସ୍କୃତି ବିଭାଗ ଅଧିକାରୀ ଏକାଡେମୀର ବିଭିନ୍ନ ଦାୟିତ୍ବରେ ଅଛନ୍ତି। ଏହାଦ୍ବାରା କାର୍ଯ୍ୟ ଆଗେଇ ପାରୁନାହିଁ।

ଏନେଇ ସଂସ୍କୃତି ଗବେଷକ ଦିଲୀପ ହାଲି କହିଛନ୍ତି, ଏକାଡେମୀ ସବୁ ଏବେ ଅଚଳ। ବିଭାଗୀୟ ଅଧିକାରୀଙ୍କୁ ବିଭିନ୍ନ ପଦପଦବୀରେ ଦାୟିତ୍ବ ଦିଆଯାଉଛି। ଯେଉଁମାନଙ୍କର ଉକ୍ତ ଏକାଡେମୀ ବା କଳା ସମ୍ପର୍କରେ ଅଭିଜ୍ଞତା ନାହିଁ ସେମାନଙ୍କୁ ଦାୟିତ୍ବ ଦିଆଯାଉଛି। ତେଣୁ ବାଇ-ଲ’ ଅନୁସାରେ ସରକାର ସଂସ୍କୃତି ବିଭାଗକୁ ଗୁରୁତ୍ବ ଦେଲେ ଆମ କଳା ଆଗକୁ ଯିବା ସହିତ କଳାକାର ଉପକୃତ ହେବେ। ସେହିପରି ଭାଗବତ ଟୁଙ୍ଗୀ ପ୍ରଚାର ସମିତିର ରାଜ୍ୟ ଉପସଭାପତି ସୁବ୍ରତ କୁମାର ରାଉତ କହିଛନ୍ତି, ସଂସ୍କୃତି ବିଭାଗ ଏବେ ତାହାର ଲକ୍ଷ୍ୟଠାରୁ ଦୂରେଇ ଯାଇଛି। ବିଶେଷ କରି ଏକାଡେମୀଗୁଡ଼ିକ ଏବେ ଅଚଳ ପ୍ରାୟ। ନୂଆ ସରକାର ଏବଂ ବିଭାଗୀୟ ଯୁବ ମନ୍ତ୍ରୀ ଏଦିଗରେ ଦୃଷ୍ଟି ହେବା ଆବଶ୍ୟକ। ଏହାଦ୍ବାରା ଆମ କଳା ଓ ସଂସ୍କୃତି ଅଧିକ ରୁଦ୍ଧିମନ୍ତ ହୋଇପାରିବ। ଏନେଇ ସଂସ୍କୃତି ବିଭାଗର ଜଣେ ଅଧିକାରୀ କହିଛନ୍ତି, ସରକାର ଏଦିଗରେ ବିଚାର କରୁଛନ୍ତି ଏବଂ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ଦିନରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।

Share