ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ୨୦୨୩ରୁ ଏହି ନିର୍ଦେଶାଳୟ କାର୍ଯ୍ୟ କରୁଛି। ଏବେ ଖାରବେଳ ଭବନରେ ନିର୍ଦେଶାଳୟ କାର୍ଯ୍ୟ କରୁଛି। ହେଲେ କାର୍ଯ୍ୟ ପରିଚାଳନାରେ ମୁଖ୍ୟ ବାଧକ ସାଜିଛି ମାନବସମ୍ବଳ। କେବଳ ଜଣେ ମାତ୍ର ଓଏସଡିରେ ଚାଲିଛି ଏହି ନିର୍ଦେଶାଳୟ। ତେବେ ଓଡ଼ିଶା ପରିବାର ନିର୍ଦେଶାଳୟକୁ ଅଧିକ ଚଳଚଞ୍ଚଳ କରିବା ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ଦିଆଯାଇଛି। ଏହାକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ଖୁବ୍ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ଜଣାପଡ଼ିଛି। ନିର୍ଦେଶାଳୟକୁ ସମ୍ପ୍ରସାରଣ କରାଯିବା ସହିତ ନିଯୁକ୍ତି ପ୍ରକ୍ରିୟା ନେଇ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ବିଶେଷକରି ୧୫ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଯୋଗଦେବା ନେଇ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି। ଅନ୍ୟାନ୍ୟ ନିର୍ଦେଶାଳୟରେ ଯେପରି ଅଧିକାରୀ ଏବଂ କର୍ମଚାରୀ ଅଛନ୍ତି, ସେହି ଆଧାରରେ ମାନବସମ୍ବଳ ନିଯୁକ୍ତି ପାଇବେ। ନିର୍ଦେଶାଳୟରେ ସ୍ବତନ୍ତ୍ର ଭାବେ ନିର୍ଦେଶକ, ଉପନିର୍ଦେଶକ, ଅତିରିକ୍ତ ଓ ଯୁଗ୍ମ ନିର୍ଦେଶକ, ଅନୁସଚିବ ଏବଂ ଅନ୍ୟାନ୍ୟ ଅଧିକାରୀ ରହିବେ।
ଭୁବନେଶ୍ବର : ଇଂଲଣ୍ଡରୁ ଜାପାନ ଆଉ ଦୁବାଇରୁ ଘାନା। ନିକଟରେ ଦକ୍ଷିଣ ଆଫ୍ରିକା ଏବଂ କୁଏତରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଡ଼ି ହୋଇଛି ଓଡ଼ିଶା ପରିବାର ନିର୍ଦେଶାଳୟ। ଏହା ରାଜ୍ୟ ତଥା ଦେଶ ବାହାରେ ଥିବା ପ୍ରତିଟି ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର କରୁଛି। ଏବେ ସୁଦ୍ଧା ୨୯ ଦେଶ ସହିତ ଯୋଡ଼ି ହେଲାଣି।
ବର୍ତ୍ତମାନ ସୁଦ୍ଧା ନିର୍ଦେଶାଳୟ ପ୍ରବାସୀ ଓଡ଼ିଆଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ସଙ୍ଗଠିତ କରିବା, ସେମାନଙ୍କର ତାଲିକା ପ୍ରସ୍ତୁତ କରିବା, ସେଠାରେ ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପରମ୍ପରା ଅନୁସାରେ ପର୍ବପର୍ବାଣି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଛି। କେବଳ ଏତିକି ନୁହେଁ ରାଜ୍ୟ ବା ଦେଶ ବାହାରେ ଅସୁବିଧାରେ ଥିବା ଓଡ଼ିଆଙ୍କୁ ସହଯୋଗ କରିବା ସହିତ ସେଠାରେ ମୃତ୍ୟୁ ହେଉଥିବା ଓଡ଼ିଆଙ୍କୁ ଜନ୍ମସ୍ଥାନକୁ ଫେରାଇ ଆଣିବା ଦିଗରେ ଏହା କାର୍ଯ୍ୟ କରୁଛି।

