Images 1 1

ଭୁବନେଶ୍ୱର : ରାଜ୍ୟରେ ପୁଣି ଆତଙ୍କ ଖେଳାଇଛନ୍ତି ସୁପାରିକିଲର (ଭଡ଼ାଟିଆ ହତ୍ୟାକାରୀ)। ସୁପାରିକିଲରଙ୍କ ସହାୟତାରେ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର ରଚୁଛନ୍ତି ଷଡ଼ଯନ୍ତ୍ରକାରୀ। ବ୍ୟବସାୟିକ ଶତ୍ରୁତା, ରାଜନୈତିକ ଛକାପଞ୍ଝା, ଜମିବାଡ଼ି ବିବାଦ, ପ୍ରେମରେ ପ୍ରତାରଣା ଘଟଣାକୁ ନେଇ ସୁପାରିକିଲରଙ୍କ ସହାୟତାରେ ଚାଲୁଛି ଅପରାଧ। କେଉଁଠି ମୁଣ୍ଡ ଗଡ଼ୁଛି ତ ଆଉ କେଉଁଠି ଅପହରଣ କରି ମୁଣ୍ଡଜାମିନ ବାବଦରେ ଟଙ୍କା ଆଦାୟ କରାଯାଉଛି। ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, କଲକାତାରୁ ସୁପାରିକିଲର ଆସି ଅପରାଧ ଘଟାଇ ପଳାଉଛନ୍ତି। ସୁପାରି ଦେଇଥିବା ପ୍ରଚ୍ଛଦପଟ ଖଳନାୟକ ଧରାପଡ଼ିବା‌ ପରେ ଖୋଲୁଛି ଏପରି କଳା କାରନାମାର ଗୁମର। ବ୍ରହ୍ମପୁରରୁ ଜଗତସିଂହପୁର, କଟକରୁ ବଲାଙ୍ଗିରରେ ସୁପାରିକିଲର ଘଟାଉଛନ୍ତି ଜଘନ୍ୟ କାଣ୍ଡ। ଗୋଟିଏ ଦିନରେ ସୁପାରିକିଲରଙ୍କ ଦ୍ବାରା ଦୁଇଟି ହତ୍ୟା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।

ବ୍ରହ୍ମପୁରର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ସୁପାରିକିଲରଙ୍କ ସହାୟତାରେ ଅପହରଣ କରି ହତ୍ୟା କରାଇଛନ୍ତି ନିଜ ଝିଆରୀ ଓ ପୁତୁରା। ଉତ୍ତରପ୍ରଦେଶର ସୁପାରିକିଲର ସୂର୍ଯ୍ୟପ୍ରତାପ ସିଂ ଓରଫ ଗୋଲୁ ସହାୟତାରେ ସୁଧୀରଙ୍କୁ ହତ୍ୟା କରାଯାଇଥିଲା। ସୁପାରିକିଲରଙ୍କ ସହ କୋଟିଏ ଟଙ୍କାରେ ଡିଲ୍‌ କରିଥିଲେ ସୁଧୀରଙ୍କ ଝିଆରୀ ନିବେଦିତାର ପୁରୁଷ ବନ୍ଧୁ କାଳୁଚରଣ ପ୍ରଧାନ। ଏହି ଘଟଣାରେ ୯ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ କିଛି ସୁପାରିକିଲର ଫେରାର ଅଛନ୍ତି। ଅନୁରୂପ ଭାବେ ଜଗତସିଂହପୁର ଜିଲା କାଠିଆପଡ଼ାର ଯୁବତୀ ସସ୍ମିତା ଦାସ ଓରଫ ଡଲିଙ୍କୁ ସୁପାରିକିଲର ସହାୟତାରେ ଅତି ବୀଭତ୍ସ ଭାବେ ହତ୍ୟା କରିଛି ପ୍ରେମିକ ସୂର୍ଯ୍ୟକାନ୍ତ ସ୍ବାଇଁ ଓରଫ ପପୁ। ସୁପାରିକିଲରକୁ ୨ ଲକ୍ଷ ଟଙ୍କା ଦେବାକୁ ଡିଲ୍‌ କରିଥିଲା ପପୁ। ହତ୍ୟାରେ ସମ୍ପୃକ୍ତ ଥିବା ଫେରାର ସୁପାରିକିଲର ଘର ବିହାର ହୋଇଥିବା ବେଳେ ସେ ଜାମସେଦପୁରରେ ରହୁଛି। ସେହିପରି କିଛି ମାସ ପୂର୍ବେ ବ୍ରହ୍ମପୁରର ବିଜେପି ନେତା ତଥା ଜଣାଶୁଣା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରାଜନୈତିକ ଅଭିସନ୍ଧି ଓ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ପୀତବାସଙ୍କୁ ସୁପାରିକିଲରଙ୍କ ଦ୍ବାରା ହତ୍ୟା କରାଯାଇଥିଲା। ପୀତବାସଙ୍କୁ ହତ୍ୟା କରିବା ଲାଗି ବିହାରରୁ ସୁପାରିକିଲର ଆସିଥିଲେ। ସପ୍ତାହେ ପୂର୍ବେ କଟକର ଜଣେ ବ୍ୟବସାୟୀଙ୍କୁ ସୁପାରିକିଲରଙ୍କ ଦ୍ବାରା ହତ୍ୟା ଉଦ୍ୟମ କରାଯାଇଥିଲା।

ବ୍ୟବସାୟୀଙ୍କୁ ଆକ୍ରମଣ ଲାଗି ଦେଢ଼ ଲକ୍ଷ ଟଙ୍କାରେ ଡିଲ୍‌ ହୋଇଥିଲା। ଏହି ଘଟଣାରେ ସୁପାରିକିଲର ରାକେଶ ବେହେରା, ଶିଶିର ଜେନା, ରାଜେଶ ନାୟକ ଓ ସୁପାରି ଦେଇଥିବା ଚନ୍ଦନ ଭୋଳଙ୍କୁ ଗିରଫ କରାଯାଇଥିଲା। ବଲାଙ୍ଗିରର ଯୁବ ବ୍ୟବସାୟୀ ନଟରାଜ ନାଥପତିଙ୍କୁ ହତ୍ୟା ଲାଗି ସୁପାରି ଦେଇଥିଲା ବଡ଼ଭାଇ ନବକୁମାର। ନଟରାଜକୁ ତେଲ ନଦୀକୁ ଠେଲି ହତ୍ୟା କରିଥିଲେ ସୁପାରିକିଲର। ଏହି ଘଟଣାରେ ନବକୁମାରଙ୍କ ସମେତ ୭ଜଣଙ୍କୁ ଗିରଫ କରାଯାଇଥିଲା। ଭୁବନେଶ୍ବରର ସାମନ୍ତରାପୁରରେ ମିଠା ବ୍ୟବସାୟୀ ପ୍ରଭାକର ସାହୁ ଓରଫ ଜମ୍ବୁଙ୍କୁ ସୁପାରି ଦେଇ ହତ୍ୟା କରାଯାଇଥିଲା। ସୁପାରିକିଲର ଶ୍ରୀତିକ ବିଶ୍ବାଳ ଓ ଆଶୁତୋଷ ମହାନ୍ତି ୫୦ହଜାର ଟଙ୍କା ନେଇ ପ୍ରଭାକରଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

Share