ନୂଆଦିଲ୍ଲୀ: ଆଜି ତାମିଲନାଡୁ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଉଛି। ଏହି ସମୟରେ ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଟିଭିକେ ପାର୍ଟି ମୁଖ୍ୟ ତଲପତି ବିଜୟ ନିର୍ବାଚନରେ ପରାଜିତ ହୋଇଥିବା ଗୁଜବ ଶୁଣି ଜଣେ ୨୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଯୁବକ ଜଣକ କେ. ମହେନ୍ଦ୍ରନ୍ ବୋଲି ଜଣାପଡିଛି। କେ . ମହୋନ୍ଦ୍ରନ୍ନା ହେଉଛନ୍ତି ବିଜୟଙ୍କ ଜଣେ ଦୃଢ଼ ସମର୍ଥକ। ଭୋଟ ଗଣତି ଆରମ୍ଭ ହେବା ପୂର୍ବରୁ ଏହି ଘଟଣା ଘଟିଛି। ଗୁଜବ ଶୁଣି ମହେନ୍ଦ୍ରନ୍ ବିଷାଦଗ୍ରସ୍ତ ହୋଇ ନିଜ ଘର ପାଖରେ ଗଳା କାଟି ଜୀବନ ହାରିବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକ ତୁରନ୍ତ ମହେନ୍ଦ୍ରନଙ୍କୁ ଉଦ୍ଧାର କରି ନିକଟସ୍ଥ ସରକାରୀ ହସ୍ପିଟାଲକୁ ନେଇଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କୃଷ୍ଣଗିରି ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି।

