ନୟାଗଡ଼: ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର । ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ନାବାଳକକୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । କାଣିପଦା ଜଙ୍ଗଲ ପଥର ଖୋଲରେ ଫସିଥିଲା ନାବାଳକ ।
ସୂଚନାଯୋଗ୍ୟ, ଆଜି ସକାଳୁ ମହୁ ସଂଗ୍ରହ ପାଇଁ ନାବାଳକ ଜଣକ ଓଡ଼ଗାଁ ବାଉଁଶଗାଡ଼ିଆ ଅଞ୍ଚଳର ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ମାଟି ଖସିଯିବାରୁ ନାବାଳକ ପଥର ସନ୍ଧିରେ ଫସି ଯାଇଥିଲା । ନାବାଳକର ମୁଣ୍ଡ ପଥର ସନ୍ଧିରେ ଅଟକିଯିବାରୁ ସେ ବାହାରି ପାରୁ ନଥିଲା । ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ନୟାଗଡ଼ ଓ ଓଡ଼ଗାଁ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
କିନ୍ତୁ ପଥର ସନ୍ଧିରେ ମୁଣ୍ଡ ଅଟକିଥିବାରୁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇପଡ଼ିଥିଲା । ଉଦ୍ଧାର ସମୟରେ ପିଲାଠୁ ମାତ୍ର ଅଳ୍ପ ଦୂରରେ ଶୋଇଥିଲା ବିରାଟ ଅଜଗର । ଶେଷରେ ଦୀର୍ଘ ୮ ଘଣ୍ଟାର ରେସକ୍ୟୁ ଅପରେସନ ପରେ ନାବାଳକଙ୍କୁ ପଥର ଖୋଲରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ନାବାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

