ନବରଙ୍ଗପୁର: ନବରଙ୍ଗପୁର ସହରରେ ତୈଳ ସଙ୍କଟ । ୬ଟି ଟାଙ୍କିରୁ ବନ୍ଦ ହେଲାଣି ୪ ଟାଙ୍କି । ବାକି ଦୁଇଟି ଟାଙ୍କିରୁ ମିଳୁଛି ସୀମିତ ତେଲ। ପ୍ରଥମେ ରନ୍ଧନ ଗ୍ୟାସ ଏବେ ପେଟ୍ରୋଲ ଡିଜେଲର ସମସ୍ୟା ନବରଙ୍ଗପୁର ସହରବାସୀଙ୍କ ନିଦ ହଜାଇଦେଇଛି। ଗତକାଲି ସନ୍ଧ୍ୟାରୁ ନବରଙ୍ଗପୁର ସହରରେ ଥିବା ତେଲ ଟାଙ୍କିରେ ପେଟ୍ରୋଲ ଡିଜେଲର ସଙ୍କଟ ଦେଖାଦେଇଛି । ସହର ମଧ୍ୟରେ ଥିବା ୬ଟି ପେଟ୍ରୋଲ ଟାଙ୍କିରୁ ୪ଟି ଟାଙ୍କିରେ ତେଲ ନଥିବାରୁ ଟାଙ୍କି ଗୁଡିକ ବନ୍ଦ ରହିଛି । ବାକି ତେଲ ଥିବା ଦୁଇଟି ଟାଙ୍କିରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିଛି ।
କିନ୍ତୁ ଏହି ଦୁଇ ଟାଙ୍କିରେ ଗ୍ରାହକଙ୍କୁ ସୀମିତ ମାତ୍ରାରେ ତେଲ ଦିଆଯାଉଛି । ବାଇକକୁ ୨ଶହ ଟଙ୍କାର ତେଲ ଓ ଚାରିଚକିଆ ଯାନକୁ ହଜାରେ ଟଙ୍କାର ତେଲ ପ୍ରଦାନ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । କହିଛନ୍ତି, ଜିଲ୍ଲାରେ ବ୍ୟାପକ ମାତ୍ରାରେ ପେଟ୍ରୋଲ ଡିଜେଲ ମହଜୁଦ ଥିବା ବେଳେ କେବଳ ସହର ମଧ୍ୟରେ ଥିବା ତେଲ ଟାଙ୍କିରେ ତେଲ ଅଭାବ ଦେଖାଦେଇଛି । ତେଲ ଡିପୋରୁ ସୀମିତ ମାତ୍ରାରେ ଟାଙ୍କିକୁ ତେଲ ଆସୁଥିବାରୁ ଟାଙ୍କି ଗୁଡିକ ଡ୍ରାଏ ହୋଇଯାଉଛି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ତେଲ ଟାଙ୍କିରେ ତେଲ ପହଂଚିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।
ସେହିପରି କୋରାପୁଟ ଜୟପୁରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକଙ୍କ ଭିଡ଼ ଜମିଛି । ତିନୋଟି ପେଟ୍ରୋଲ ପମ୍ପରେ ତେଲ ନଥିବାରୁ ବନ୍ଦ ହୋଇଯାଇଛି ତେଲ ଟାଙ୍କି । ପେଟ୍ରୋଲ ଅଭାବ ଆଶଙ୍କା କରି ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପେଟ୍ରୋଲ ଓ ଡିଜେଲ ପକାଇବାକୁ ଲୋକେ ଭିଡ଼ ଜମାଇଛନ୍ତି ।

