ଭୁବନେଶ୍ବର: ଘୂର୍ଣ୍ଣିବଳୟ ଏବଂ ନିମ୍ନଚାପରେଖା ସକ୍ରିୟ ଥିଲେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥାଏ, କିନ୍ତୁ ବର୍ତ୍ତମାନ ରାଜ୍ୟ ଉପରେ କୌଣସି ଘୂର୍ଣ୍ଣିବଳୟ କି ନିମ୍ନଚାପରେଖା ସକ୍ରିୟ ନାହିଁ। କିନ୍ତୁ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ କାଳବୈଶାଖୀ ହେଉଛି। ରାଜ୍ୟର ଅନେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେଉଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ପୂର୍ବାପେକ୍ଷା ଗୁରୁବାରଠାରୁ କାଳବୈଶାଖୀ ହ୍ରାସ ପାଇବ, ହେଲେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ବର୍ଷା ହେବ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ଭାବେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।
ବଜ୍ରପାତ ସମୟରେ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିପାରେ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଆର୍ଦ୍ରତା ଅଧିକ ରହିବ, ଯାହା ଫଳରେ ଗୁଳୁଗୁଳି ଅନୁଭୂତ ହୋଇପାରେ। ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ବୁଧବାର ଓଡ଼ିଶାର ୪ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି। ବୌଦ୍ଧରେ ପାରଦ ସବୁଠୁ ଅଧିକ ୪୧.୭ଡିଗ୍ରୀ ଥିବାବେଳେ ବଲାଙ୍ଗିର ଓ ଝାରସୁଗୁଡ଼ାରେ ୪୦.୨ ଡିଗ୍ରୀ ରହିଛି। ତାଳଚେରରେ ୪୦ ଡିଗ୍ରୀ ଛୁଇଁଛି। ଭୁବନେଶ୍ବରରେ ୩୦.୨ ଏବଂ କଟକରେ ୩୦.୪ଡିଗ୍ରୀ ରେକର୍ଡ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ।
ଅପରାହ୍ଣରେ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଜିଲାରେ ୭୬.୨ ମି.ମି. ପର୍ଯ୍ୟନ୍ତ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର ଏବଂ ମାଲକାନଗିରି ଜିଲାକୁ କାଳବୈଶାଖୀଜନିତ ବଜ୍ରପାତ, ଝଡ଼ତୋଫାନ ଏବଂ କୁଆପଥର ମାଡ଼ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଙ୍ଗୋପସାଗରରୁ ପ୍ରବେଶ କରୁଥିବା ଆର୍ଦ୍ର ପବନ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ବସ୍ତି ମିଳିବ।

