କୋରାପୁଟ : ସାଇବର ଠକେଇ ମାମଲାରେ ଜଣେ ଗିରଫ । ଅନଲାଇନ ଟ୍ରେଡିଂରେ ରୋଜଗାର ଲୋଭ ଦେଖାଇ କୋରାପୁଟ ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିଲା । ଏହି ମାମଲାରେ କୋରାପୁଟ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଅଭିଯୁକ୍ତ ସୀଦାରାପୁ ତମ୍ମାୟାଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ରାଜେଶ ପାତ୍ର ଫେସବୁକରେ “ସଞ୍ଜନା ଶ୍ରୀ” ନାମକ ମହିଳାଙ୍କ ସହ ପରିଚିତ ହୋଇଥିଲେ। ପରେ ହ୍ୱାଟସଆପ୍ ମାଧ୍ୟମରେ ଅନଲାଇନ ଟ୍ରେଡିଂରେ ଲାଭ ହେବ ବୋଲି ଲାଳସା ଦେଖେଇ ବିଭିନ୍ନ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ରାଜେଶକୁ କହିଥିଲେ । ସେ ପର୍ଯ୍ୟାୟକ୍ରମେ ୨୦ ଲକ୍ଷ ୫୦ ହଜାର ଟଙ୍କା ପଠାଇଥିଲେ।
ତଦନ୍ତ ସମୟରେ ୧୨ ଲକ୍ଷ ୪୬ ହଜାର ଟଙ୍କା ପୋଲିସ ହୋଲ୍ଡ କରିଥିବା ବେଳେ ଆଉ ୪ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ଫେରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଫୋନ, ଏଟିଏମ୍ କାର୍ଡ, ଚେକ୍ ବୁକ୍ , ପାସବୁକ୍ ଓ ବିଭିନ୍ନ ଦସ୍ତାବିଜ୍ ଜବତ କରାଯାଇଛି। ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

