ନାଗପୁର : ମହାରାଷ୍ଟ୍ର ନାଗପୁର ଜିଲ୍ଲାରେ ଜଳିଗଲା କାର୍ ଗୋଦାମ । ଖେରୀ ଗାଁ ସ୍ଥିତ ପୁରୁଣା କାର୍ ଗୋଦାମରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଯୋଗୁଁ ଅତିକମରେ ୪୦୦ରୁ ଅଧିକ ପୁରୁଣା କାର୍, ପାର୍ଟସ, ଟାୟାର ଏବଂ ଅନ୍ୟ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ଭୟଙ୍କର ନିଆଁ ଅନେକ ଦୂର ଯାଏଁ କଳାଧୂଆଁ ଦେଖାଯାଇଥିଲା । ଏହି ଘଟଣାରେ କୋଟି କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି ।
ଖବର ମୁତାବକ, ନାଗପୁର ଗ୍ରାମୀଣ ଅଞ୍ଚଳରେ ଖେରୀ-କହ୍ନାନ ମାର୍ଗ ସ୍ଥିତ ତାରାନଗରରେ ଥିଲା ଗୋଦାମ । ମନୋଜ ନାଗଦେବେ ଏବଂ ତାଙ୍କ ସହଯୋଗୀ ଦ୍ବାରା ପୁରୁଣା କାର୍ ଡିଲ୍ କରାଯାଉଥିଲା । ଗୋଦାମରେ ମରାମତି ହେଉଥିବା ସେକେଣ୍ଡହ୍ୟାଣ୍ଡ କାର୍ ଛଡା ଅନ୍ୟ ଖରାପ ଗାଡିର ସ୍ପେୟାର ପାର୍ଟସ, ଟାୟାର ଏବଂ ଅନ୍ୟ ସବୁ ଜିନିଷ ରଖାଯାଇଥିଲା ।
ଗୁରୁବାର ଅପରାହ୍ନରେ ହଠାତ୍ ଗୋଦାମରେ ନିଆଁ ଲାଗିଯାଇଥିଲା । କିଛି ମିନିଟରେ ନିଆଁ ଲାଗି ସଂପୂର୍ଣ୍ଣ ଗୋଦାମ ଜଳିପୋଡି ନଷ୍ଟ ହୋଇଯାଇଥିଲା । ଘଟଣା ସ୍ଥଳରେ ଥିବା କର୍ମଚାରୀ ତୁରନ୍ତ ଦମକଳ ବାହିନୀକୁ ସୂଚନା ଦେଇଥିଲେ । ନିଆଁ ଲାଗିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକ ଭୟଭୀତ ହୋଇଯାଇଥିଲେ । ଘଟଣଶ ସ୍ଥଳରେ ୧୫ରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତକରିଥିଲା । କଠିନ ପରିଶ୍ରମ କରିବା ପରେ ଗୋଦାମର ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ କାରଖାନାରେ ନିଆଁ କିଭଳି ଲାଗିଲା, ତାହା ଏଯାଏଁ ଜଣାପଡିନାହିଁ ।

