ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପେଟ୍ରୋଲ ସଙ୍କଟ । ବନ୍ଦ ହେଲାଣି ଏକାଧିକ ପେଟ୍ରୋଲ ପମ୍ପ । ଆଉ ଯେତିକି ବି ମିଳୁଛି, ତାହା ସୀମିତ ମାତ୍ରାରେ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାତ୍ର ଘଣ୍ଟେ ଦୁଇ ଘଣ୍ଟା ପେଟ୍ରୋଲ ବିକି ବନ୍ଦ କରିଦିଆଯାଉଛି ପମ୍ପ୍ । ଗୋଟିଏ ପଟେ ସାବିତ୍ରୀ ଘଡ଼ି, ଆଉ ଗୋଟେପଟେ ତୈଳ ସଙ୍କଟ ନେଇ ଚିନ୍ତାରେ ଗାଡ଼ି ଚାଳକ । ଡହଡହ ଖରାରେ ଗାଡ଼ି ଠେଲି ଠେଲି ପେଟ୍ରୋଲ୍ ପମ୍ପ ପାଖକୁ ଯାଉଛନ୍ତି ଲୋକେ। କିନ୍ତୁ ସେଠାରେ ତୈଳ ନ ଥିବା ଦେଖି ଲୋକଙ୍କ ମଧ୍ୟରେ ଅଶାନ୍ତର ବାତାବରଣ ଦେଖିବାକୁ ମିଳିଛି ।
ବେଗୁନିଆରେ ମୋଟ ଭାବେ ପାଞ୍ଚଟି ପେଟ୍ରୋଲ୍ ପମ୍ପ୍ ଥିବା ବେଳେ ପେଟ୍ରୋଲ ଅଭାବ ନେଇ ସବୁ ପମ୍ପ୍ ଗୁଡ଼ିକ ବନ୍ଦ ଅବସ୍ଥାରେ ରହିଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାତ୍ର ସୀମିତ ସମୟ ପାଇଁ ୧ରୁ ୨ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ଦିଆଯାଉଥିବା ନଜିର ରହିଛି । ଅପରପକ୍ଷେ ପେଟ୍ରୋଲ ଦର ବୃଦ୍ଧି ଆଶଙ୍କା ମାଲିକମାନେ ପେଟ୍ରୋଲ ଷ୍ଟକ ରଖି ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସେହିପରି ପେଟ୍ରୋଲ ପମ୍ପ୍ ମାଲିକମାନେ ମଧ୍ୟ ଏଥିଯୋଗୁ କ୍ଷତି ସହୁଥିବା ଜଣାଇଛନ୍ତି ।

