ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବର୍ବରତା । ଗାଡ଼ି ଚାଳକକୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଡ୍ରାଇଭର। ଗତକାଲି ଭସ୍ମା ଥାନା ଅଞ୍ଚଳରେ ଘଟିଛି ବର୍ବରକାଣ୍ଡ । ଦୁର୍ଘଟଣା ପରେ ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ପିଟିପିଟି ମାରିଦେଲେ । ମୃତ ଡ୍ରାଇଭର ହେଲେ ଭସ୍ମା ଥାନା ଗୁଲଠା ଗାଁର ରାଜେଶ ମୁଣ୍ଡା, ବୟସ ୩୬ । ରାଜେଶ ଗତକାଲି ଗାଡିର ଟାୟାର ମରାମତି କରି ନିଜ ଗାଁ ଗୁଲଠାକୁ ଫେରୁଥିଲେ । ଏହି ସମୟରେ ସୁରଡା ଛକରେ ହଠାତ ରାସ୍ତା ଉପରକୁ ଚାଲି ଆସିଥିବା ଜଣେ ଟ୍ରକ ଚାଳକ ମୁକେଶ ଯାଦବଙ୍କୁ ପିକଅପଟି ଧକ୍କା ଦେଇଥିଲା । ଏଥିରେ ମୁକେଶଙ୍କ ଗୋଡ଼ ଭାଙ୍ଗିଥିଲା । ଦୁର୍ଘଟଣା ପରେ ରାଜେଶ ସ୍ଥାନ ନ ଛାଡି ଆହତ ମୁକେଶକୁ ହସ୍ପିଟାଲ ନେବାକୁ ଅଟକାଇ ଥିଲେ ।
ଏହି ସମୟରେ ଛକରେ ଥିବା ଅନ୍ୟ ଡ୍ରାଇଭର ରାଗିଯାଇ ରାଜେଶକୁ ଘେରି ଲୁହା ରଡ଼ରେ ପିଟିଥିଲେ । ସଂକଟପନ୍ନ ଅବସ୍ଥାରେ ରାଜେଶ ଓ ଆହତ ମୁକେଶଙ୍କୁ ସେହି ଗାଡ଼ିରେ ଡ୍ରାଇଭର ମାନେ ସୁନ୍ଦରଗଡ଼ ହସ୍ପିଟାଲକୁ ଆଣିଥିଲେ । ତେବେ ଡାକ୍ତର ରାଜେଶଙ୍କୁ ମୃତ ଘୋଷଣା କରିଥିଲେ । ରାଜେଶ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଆହତ ମୁକେଶଙ୍କ ଚିକିତ୍ସା ଚାଲିଛି । ରାଜେଶର ଗାଡି ମାଲିକ ସମରେନ୍ଦ୍ର ପରିଡାଙ୍କ ଏତଲା ଆଧାରରେ ପୋଲିସ ମନିଶ କୁମାର, ବିକାଶ କୁମାର ଓ ଅମ୍ରିତ ଲାଲଙ୍କୁ ଥାନାରେ ଅଟକ ରଖିବା ପରେ ଆଜି କୋର୍ଟ ଚାଲାଣ କରିବ । ଆଜି ଏସପି ନିଜେ ଘଟଣା ସ୍ଥଳ ପରିଦର୍ଶନ କରିବେ ।

