ନବରଙ୍ଗପୁର: ନବରଙ୍ଗପୁରରେ ଦେଖାଦେଇଛି ଛାତିଥରା ଦୁର୍ଗଟଣା । ମର୍ମନ୍ତୁଦ ଦୁର୍ଘଟଣାରେ ଏକାସଙ୍ଗରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ । ମୁହାଁମୁହିଁ ଧକ୍କା ହେଲା ଟ୍ରେଲର ଓ କାର। ଅନ୍ୟ ୩ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଅଛି । ମୃତକ ହେଲେ ନବରଙ୍ଗପୁର ଏକ୍ସ ବୋର୍ଡ ସ୍କୁଲର ଶିକ୍ଷୟତ୍ରୀ ସିଏଚ ଉଷାରାଣୀ ଓ ତାଙ୍କ ଝିଅ। ଉଷାରାଣୀ ନିଜ ପୁଅ, ଝିଅ , ଜ୍ବାଇଁ ଏବଂ ନାତିଙ୍କୁ ନେଇ ପୁରୀ ଯାଇଥିଲେ ।
ଜଗନ୍ନାଥଙ୍କ ଦର୍ଶନ ସାରି ନବରଙ୍ଗପୁର ଫେରିବାବେଳେ ପାପଡାହାଣ୍ଡି ବ୍ଲକ ଝିଟିକିଗୁଡା ଜାତୀୟରାଜପଥ ଠାରେ ଟ୍ରେଲର ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହସପିଟାଲରେ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଜଣଙ୍କ ହସପିଟାଲରେ ଚିକିତ୍ସା ଚାଲିଛି ।

