Je

ଭୁବନେଶ୍ବର: ଲାଞ୍ଚୁଆ ସରକାରୀ ବାବୁଙ୍କୁ ଓଡ଼ିଶା ଭିଜିଲାନ୍ସର ଶକ୍ତ ଚାପୁଡ଼ା । ୧ ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ବେସରକାରୀ ସହଯୋଗୀ ଆଶୁତୋଷ ବଳିଆର ସିଂହଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ଜଣେ ଠିକାଦାରଙ୍କ ଠାରୁ ବକେୟା ବିଲ୍ ପାସ୍ ଏବଂ ସିକ୍ୟୁରିଟି ମନି ଫେରସ୍ତ କରିବା ପାଇଁ ୧ଲକ୍ଷ ୩୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳରେ ୨୦୨୧–୨୨ ଆର୍ଥିକ ବର୍ଷରେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ ଅଧୀନରେ ହୋଇଥିବା ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ବିଲ୍ କ୍ଲିୟର କରିବା ଏବଂ ଗଚ୍ଛିତ ଥିବା ସିକ୍ୟୁରିଟି ଟଙ୍କା ଫେରସ୍ତ କରିବା ପାଇଁ ଜେଇ କେଶବ ସୁବୁଦ୍ଧି ଲାଞ୍ଚ ଦାବି କରିଥିଲେ।

ଠିକାଦାର ଜଣକ ଏ ନେଇ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ପୂର୍ବ ପ୍ରସ୍ତୁତି ମୁତାବକ ଏକ ସ୍ୱତନ୍ତ୍ର ଟିମ୍ ଜାଲ ବିଛାଇଥିଲା ।  କେଶବ ସୁବୁଦ୍ଧି ଓ ତାଙ୍କ ସହଯୋଗୀ ଆଶୁତୋଷ ଠିକାଦାରଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ ।  ଦୁଇ ଜଣଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ।  କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧିଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ ଓ ଖାନତଲାସି ଜାରି ରହିଛି ।  ଏହି ଦୁର୍ନୀତି ମାମଲାରେ ଗତକାଲି ଭିଜିଲାନ୍ସ ଥାନାରେ ମାମଲା ପଞ୍ଜୀକୃତ କରାଯାଇଥିଲା । ବର୍ତ୍ତମାନ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଜୋରଦାର ଚାଲିଛି ।

Share