ଭବାନୀପାଟଣା : ଆମ୍ବୁଲାନ୍ସ ଚକା ଫାଟିବାରୁ ଚକା ବଦଳା ଯିବାକୁ ଉଦ୍ୟମ ହେଲା। ତେବେ ଅନ୍ୟ ଚକଟି ମଧ୍ୟ ଖରାପ ଥିଲା। ଏଣୁ ଦୀର୍ଘ ସମୟ ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିବା ବେଳେ ରୋଗୀଙ୍କ ମୃତ୍ୟୁ ଘଟିଲା। ଏଭଳି ଏକ ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି।
ସୂଚନା ଅନୁଯାୟୀ ନର୍ଲା ବ୍ଲକ୍ ଅନ୍ତର୍ଗତ ତୁଲାପଡାର ଦିନଘର ନାଏକଙ୍କ ଝିଅ ରିୟା ନାଏକ (୧୧)ଙ୍କ ପେଟ ଯନ୍ତ୍ରଣା ହେବାରୁ ଆଜି ନର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଗଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ୧୦୮ ଆମ୍ବୁଲାନ୍ସରେ ନର୍ଲାରୁ ଭବାନୀପାଟଣା ଆସୁଥିବା ବେଳେ ଗୋହିରାପଦର ରେଳ ଫାଟକ ନିକଟରେ ଆମ୍ବୁଲାନ୍ସର ଚକା ପଞ୍ଚର୍ ହୋଇଯାଇଥିଲା। ଆମ୍ବୁଲାନ୍ସ ଚାଳକ ଚକା ବଦଳାଇବା ବେଳେ ଅନ୍ୟ ଚକାଟି ମଧ୍ୟ ଅଚଳ ଥିବା ଜଣାପଡ଼ିଥିଲା। ଫଳରେ ପରିବାର ଲୋକେ ସହାୟତା ପାଇଁ ଅନ୍ୟ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କଲେ। ଅଥଚ ଠିକ୍ ସମୟରେ ଆମ୍ବୁଲାନ୍ସ ମିଳିଲା ନାହିଁ। ଫଳରେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆଉ ଗୋଟିଏ ଆମ୍ବୁଲାନ୍ସ ଆସିବା ପରେ ରିୟାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଗଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଡାକ୍ତରଖାନା ପରିସର ଫାଟି ପଡ଼ିଲା। ୧୦୮ ଆମ୍ବୁଲାନ୍ସର ରକ୍ଷଣାବେକ୍ଷଣା ଅଭାବରୁ ଏଭଳି ଅଘଟଣ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଡଃ ହରେକୃଷ୍ଣ ଶତପଥୀଙ୍କୁ ପଚାରିବାରୁ ଘଟଣାକୁ ସ୍ୱୀକାର କରିଥିଲେ। ତେବେ ଆମ୍ବୁଲାନ୍ସର ରକ୍ଷଣାବେକ୍ଷଣାକୁ ହେଳା କରାଯିବା ବିଷୟରେ ପଚାରିବାରୁ ଘରୋଇ ସଂସ୍ଥା ତାହା ବୁଝୁଛନ୍ତି ବୋଲି କହିଥିଲେ। ଜିଲାରେ ୧୦୮ ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା ହିମାଂଶୁ ଶର୍ମାଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ ବନ୍ଦ ଥିଲା। ଏଣୁ ପ୍ରତିକ୍ରିୟା ମିଳିପାରିଲା ନାହିଁ। ସଂପ୍ରତି ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦେଇଥିବା ବେଳେ ଆମ୍ବୁଲାନ୍ସ ଗୁଡିକର ରକ୍ଷଣା ବେକ୍ଷଣାକୁ ଗୁରୁତ୍ବ ନଦେବା ବିଷୟ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।

