Minor v

ଭୁବନେଶ୍ୱର: ନିଖୋଜର ୧୧ ଦିନ ପରେ ବି ମିଳୁନି ପୁଅର ପତ୍ତା । ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ନିଖୋଜ ନାବାଳକଙ୍କ ଏଯାଏଁ ପତ୍ତା ମିଳିନି । ପୁଅ ପାଇଁ ବାପା ମାଆର ଆଖିରୁ ଶୁଖୁନି ଲୁହ । ଶେଷରେ ପୁଅକୁ ଖୋଜିବା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ପରିବାର । ନାବାଳକ ଜଣଙ୍କ ଟ୍ୟୁସନ୍ ସାରି ମାଆ ସହ ଘରକୁ ଫେରୁଥିବା ବେଳେ ହାଉସିଂ ବୋର୍ଡ ଛକ ନିକଟରୁ ହଠାତ୍ କେଉଁଆଡ଼େ ଚାଲିଯାଇଥିଲେ । ଏହାପରେ ପରିବାର ଲୋକେ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ହେଲେ କୌଣସି ସନ୍ଧାନ ମିଳିନଥିବାରୁ ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ।

ତେବେ ପାଠପଢ଼ାକୁ ନେଇ ବୁଝାଇବା ପରେ ରାଗିଯାଇ ପୁଅ ଘର ଛାଡ଼ି ଚାଲିଯାଇଥିବା କହିଛନ୍ତି ବାପାମାଆ । ଯଦି କୌଣସି ବ୍ୟକ୍ତି ପ୍ରିୟାଂଶୁଙ୍କୁ କେଉଁଠି ଦେଖନ୍ତି କିମ୍ବା ତାଙ୍କ ସମ୍ପର୍କରେ କୌଣସି ସୂଚନା ପାଆନ୍ତି, ତେବେ ନିକଟସ୍ଥ ଥାନା କିମ୍ବା ପରିବାରକୁ ଜଣାଇ ପୁଅକୁ ଫେରାଇ ଆଣିବାରେ ସହଯୋଗ କରିବାକୁ ସେମାନେ ହାତଯୋଡ଼ି ଅନୁରୋଧ କରିଛନ୍ତି । ଅନ୍ୟପଟେ, ଭରତପୁର ଥାନା ପୋଲିସ ନିଖୋଜ ମାମଲା ରୁଜୁ କରି ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ପ୍ରିୟାଂଶୁଙ୍କ ସନ୍ଧାନ ପାଇଁ ତଦନ୍ତକୁ ଜୋରଦାର କରିଛି ।

Share