ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବର୍ଷା ଜାରି ରହିଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ଆଗକୁ ଓଡ଼ିଶା ଆଡ଼କୁ ଆସୁଛି ଆହୁରି ଦୁଇଟି ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହୋଇପାରେ। ବେଶି ବର୍ଷିବ ଉତ୍ତର ଓଡ଼ିଶାରେ। ଏମିତି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ତଥା ସୋଆ ବିଶ୍ୱବିଦ୍ୟାଳୟ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ।
ଚଳିତ ଜୁଲାଇରେ ଭଲ ବର୍ଷା ପାଇବ ଓଡ଼ିଶା। ଏହା ଚାଷ କାମକୁ ବେଶ୍ ସହାୟକ ହୋଇପାରେ। ୧୨-୧୩ ତାରିଖ ବେଳକୁ ଉତ୍ତର ଓଡ଼ିଶା-ଝାଡ଼ଖଣ୍ଡ ପାଖରେ ସ୍ଥଳଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୪ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ଏହା ଅଧିକ ସମୟ ରହିବନି। ତଥାପି ୧୩ରୁ ୧୫ ଭଲ ବର୍ଷା ହେବ। ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିପାରେ। ଏହା ପରେ ବର୍ଷା କମିଲେ ମଧ୍ୟ ପାଗ ମୁଖ୍ୟତଃ ମେଘୁଆ ରହିବାର ସମ୍ଭାବନା ଅଛି। ପୁଣି ୧୯ ତାରିଖ ବେଳକୁ ଆଉ ଏକ ଲଘୁଚାପ ହୋଇପାରେ। ଏହା ପ୍ରଭାବରେ ୧୮ରୁ ୨୨ ଯାଏ ବର୍ଷା ରହିପାରେ। ଦ୍ୱିତୀୟ ଲଘୁଚାପ ପ୍ରଭାବରେ ପୁଣି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି।

