ରାଜସ୍ଥାନ : ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ରେଲମଗରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଣେଶ ବିସର୍ଜନ ପରେ ଟ୍ରାକ୍ଟର-ଟ୍ରଲିରେ ନିଜ ଗାଁକୁ ଫେରୁଥିବା ବେଳେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।
ଖବର ଅନୁସାରେ, ରାଜସମନ୍ଦ ଜିଲ୍ଲାର ରେଲମଗରା ଥାନା ଅଞ୍ଚଳ ଅଧୀନ ବନେଡିଆ ଗ୍ରାମ ପଞ୍ଚାୟତର ତୁର୍କିୟା ଖେଡ଼ା ଗାଁ ନିକଟରେ ଗୁରୁବାର ଅପରାହ୍ଣ ପ୍ରାୟ ୩ଟା ୩୦ ମିନିଟ୍ ସମୟରେ ଦୁର୍ଘଟଣା ଘଟିଛି । ଗଣେଶ ବିସର୍ଜନ କାର୍ଯ୍ୟକ୍ରମ ସାରି ପିଲାମାନେ ଟ୍ରାକ୍ଟର-ଟ୍ରଲିରେ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟରଟି ଏକ ମୋଡ଼ରେ ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଫଳରେ ଟ୍ରଲିରେ ବସିଥିବା ଲୋକମାନେ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ ।
ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ପଠାଇବା ସହ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।
ରେଲମଗରା ଥାନାଧିକାରୀ ପ୍ରବୀଣ ସିଂହଙ୍କ ସୂଚନା ଅନୁସାରେ, ଦୁର୍ଘଟଣା ପରେ ଟ୍ରଲି ତଳେ ଚାପି ଯାଇଥିବା ତିନି ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରୁ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ମଧ୍ୟ ମୃତ୍ୟୁବରଣ କରିଥିଲେ ।
