ଇଲେକ୍ସନ କମିଶନ ଲୋକଙ୍କ ସମ୍ମୁଖରେ ନିଜ ପକ୍ଷ ରଖନ୍ତୁ: ଚିରାଗ ପାସୱାନ

Chirag

ନୂଆଦିଲ୍ଲୀ : ଦେଶରେ ଇଲେକ୍ସନ କମିଶନ ଜ୍ଞାନେଶ କୁମାରଙ୍କୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏହି ବିବାଦକୁ ନେଇ ନିର୍ବାଚନ କମିଶନ ସ୍ପଷ୍ଟୀକରଣ ରଖିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ । ଇଲେକ୍ସନ କମିଶନ ଲୋକଙ୍କର ବିଶ୍ୱାସ ଜିତିବା ଦରକାର । ଯଦି ପ୍ୟାନେଲ ମଧ୍ୟରେ କୌଣସି ବିବାଦ ରହିଛି ତେବେ ଇଲେକ୍ସନ କମିଶନ ଲୋକଙ୍କ ସମ୍ମୁଖରେ ନିଜ ପକ୍ଷ ଦୃଢ଼ ଭାବେ ରଖିବା ଦରକାର ବୋଲି ଚିରାଗ କହିଛନ୍ତି ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଚିରାଗ କହିଛନ୍ତି, ନିର୍ବାଚନ ଆୟୋଗ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ସହ ନିର୍ବାଚନ ପ୍ରକ୍ରିୟାକୁ ନେଇ ସେମାନଙ୍କ ମନରେ ଥିବା ସନ୍ଦେହର ସମାଧାନ କରିବା ଆବଶ୍ୟକ । ଯଦି ନିର୍ବାଚନ ଆୟୋଗଙ୍କ ବିରୁଦ୍ଧରେ ଏଭଳି ପ୍ରଶ୍ନ ଉଠୁଛି, ତେବେ ମୁଁ ବିଶ୍ୱାସ କରେ ଯେ, ନିର୍ବାଚନ ଆୟୋଗ, ବିଶେଷକରି ମୁଖ୍ୟ ନିର୍ବାଚନ କମିଶନର ନିଜ ପକ୍ଷକୁ ଦୃଢ଼ ଭାବରେ ଉପସ୍ଥାପନ କରନ୍ତୁ । ନଚେତ ଲୋକଙ୍କ ଭରସା ତୁଟିଯିବ । ଇଲେକ୍ସନ କମିଶନ ଲୋକଙ୍କର ବିଶ୍ୱାସ ବଜାଇ ରଖିବା ଦରକାର ।

ନିର୍ବାଚନ କମିଶନ ମଧ୍ୟରେ ବିବାଦକୁ ନେଇ ବିରୋଧୀ ଦଳଗୁଡ଼ିକ ଇଲେକ୍ସନ କମିଶନଙ୍କର ଇସ୍ତଫା ଦାବି କରିଛନ୍ତି । କକ୍ରୋଚ ଜନତା ପାର୍ଟି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଦେଶବ୍ୟାପୀ ଆନ୍ଦୋଲନ କରିବାକୁ ଚେତାବନୀ ଦେଇଛି । ଶନିବାର ସୁଦ୍ଧା ଯଦି ଜ୍ଞାନେଶ କୁମାର ଇସ୍ତଫା ନ ଦିଅନ୍ତି ତେବେ ସିଜେପି ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଦେଶବ୍ୟାପୀ ଆନ୍ଦୋଳ କରିବ ବୋଲି ସିଜେପି ମୁଖ୍ୟ ଅଭିଜିତି ଦୀପକେ କହିଛନ୍ତି ।

ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ କମିଶନର (CEC)ଙ୍କ ଉପରେ ଭୋଟ୍ ଚୋରି, ଆଇନ ଚୋରି ଓ ସଂସ୍ଥା ଚୋରିର ଅଭିଯୋଗ ଆଣି ଏହାକୁ ଦେଶ ବିରୋଧୀ କାର୍ଯ୍ୟ ବୋଲି କହିଥିଲେ । ସେପଟେ କଂଗ୍ରେସ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରୁଛି । ପଟନାରୁ ଆରମ୍ଭ କରି ଜମ୍ମୁ ଯାଏଁ କଂଗ୍ରେସ ପାର୍ଟିର କାର୍ଯ୍ୟକର୍ତ୍ତା ରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ଭୋଟ ଚୋର, ଗାଦି ଛାଡ଼ ନାରା ଦେଉଛନ୍ତି । କଂଗ୍ରେସ ନେତାମାନେ କହିଛନ୍ତି, ଯେପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ନିଜ ପଦରୁ ଇସ୍ତଫା ଦେଇନାହାନ୍ତି, ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ନ ହୋଇଛି, ସେ ଯାଏଁ ବିରୋଧ ଜାରି ରହିବ ।

Share