ଭୁବନେଶ୍ୱର : ସୋମବାର ଯାଏଁ ବିଧାନସଭା ବନ୍ଦ । ରାଜ୍ୟରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ବିଧାନସଭାର କାର୍ଯ୍ୟବିଧିକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ ବିଧାନସଭା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ଏନେଇ ଗୃହରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବାଚସ୍ପତି।

ଖବର ଅନୁଯାୟୀ, ବାତ୍ୟା ସ୍ଥିତିର ମୁକାବିଲା ଏବଂ ରାଜ୍ୟବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଗୁରୁବାର ଦିନ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶାସକ ଓ ବିରୋଧୀ ଦଳର ନେତାମାନଙ୍କ ସହମତି କ୍ରମେ ଶନିବାର ଦିନ ଗୃହ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ବାତ୍ୟା ସମୟରେ ବିଧାୟକମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରହି ଲୋକଙ୍କ ସୁରକ୍ଷା ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିପାରିବେ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି।

ସର୍ବଦଳୀୟ ବୈଠକର ନିଷ୍ପତ୍ତି ଆଧାରରେ ବାଚସ୍ପତି ଗୃହର କାର୍ଯ୍ୟବିଧିକୁ ଆସନ୍ତା ସୋମବାର ସକାଳ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବି ରଖିଥିବା ଘୋଷଣା କରିଛନ୍ତି। ବର୍ତ୍ତମାନ ରାଜ୍ୟ ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ବିଧାନସଭାର ଏହି ନିଷ୍ପତ୍ତି ପ୍ରଶାସନିକ ପ୍ରସ୍ତୁତିକୁ ଅଧିକ ସୁଗମ କରିବ ବୋଲି କୁହାଯାଉଛି।