ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଥମିବାର ନାଁ ଧରୁନି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଭଙ୍ଗା । ପ୍ରଥମେ ଦାମ ରାଉତଙ୍କ,ପରେ ବିଜୁ ପଟ୍ଟନାୟକଙ୍କ ଆଉ ଏବେ ସମ୍ବିଧାନ ପ୍ରଣେତା ଡଃ ବି.ଆର୍.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଇଛି । କେହି ଦୁର୍ବୁତ୍ତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ମୁଣ୍ଡ କଟିନେବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବାବା ସାହେବଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳର ସୁଦୁକଣ୍ଠି ଗ୍ରାମର କଲରାବାଙ୍କ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗା ଯାଇଛି । ଏହି ଘଟଣା ଜଣାପଡ଼ିବା ପରେ ସକାଳୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ନାଉଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ନାଉଗାଁ ଥାନା ଆଇଆଇସି, ତହସିଲଦାର ଏବଂ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।
ଏଭଳି ନିନ୍ଦନୀୟ କାର୍ଯ୍ୟ କରିଥିବା ଦୋଷୀଙ୍କୁ ଚିହ୍ନଟ କରି ତଦନ୍ତ ଆଧାରରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଧାୟକ ଦାବି ରଖିବା ସହ ଯଥାଶୀଘ୍ର ଉକ୍ତ ସ୍ଥାନରେ ବାବା ସାହେବ ଆମ୍ବେଦକରଙ୍କ ଏକ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ସମ୍ବିଧାନର ମହାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ପଛରେ କାହାର ହାତ ରହିଛି ଏବଂ କଣ ରହିଛି ଉଦ୍ଦେଶ୍ୟ ? ପୋଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି ।
