78769c30 90a8 11f0 b391 6936825093bd.jpg

ରୁଷଠାରୁ ତୈଳ ଆମଦାନୀ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଟାରିଫ ବୃଦ୍ଧି କରି ସଫଳ ନ ହେବାରୁ ଏବେ ଚୀନ ପଛରେ ପଡ଼ିଯାଇଛନ୍ତି। ଚୀନ ଉପରେ ୧୦୦% ଟାରିଫ ଲାଗୁ କରିବାକୁ ଟ୍ରମ୍ପ ନାଟୋ ଦେଶଗୁଡ଼ିକୁ କହିଛନ୍ତି, ଯାହାର ଜବାବ ଦେଇଛି ଚୀନ।

ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟୀ କହିଛନ୍ତି, ଆମେ କୌଣସି ଯୁଦ୍ଧରେ ଭାଗ  ନେଉନାହୁଁ କିମ୍ବା ଯୁଦ୍ଧର ଯୋଜନା କରୁନାହୁଁ। ଆମେ କେବଳ ଶାନ୍ତି ଆଲୋଚନାକୁ ପ୍ରୋତ୍ସାହିତ କରୁ। ଯୁଦ୍ଧ କୌଣସି ସମସ୍ୟାର ସମଧାନ ନୁହେଁ ଏବଂ କଟକଣା ଲାଗୁ କରାଗଲେ ସମସ୍ୟାକୁ ଅଧିକ ଜଟିଳ କରିବ।

ଓ୍ବାଙ୍ଗ ୟୀ ସ୍ଲୋଭେନିଆର ଉପ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କ ଧମକର ପ୍ରତିକ୍ରିୟା ରଖି ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ଯୁଦ୍ଧ ବନ୍ଦ ପାଇଁ ବହୁପକ୍ଷୀୟ ଆଲୋଚନାର ବ୍ୟବସ୍ଥାକୁ ସୁଦୃଢ଼ କରାଯାଉ। ଜାତିସଂଘ ଚାର୍ଟରର ଉଦ୍ଦେଶ୍ୟ ଏବଂ ନୀତିଗୁନିକର ସୁରକ୍ଷା ପାଇଁ ମିଳିତ ଉଦ୍ୟମ କରାଯାଉ। ଚୀନ ଏବଂ ୟୁରୋପ ଶତ୍ରୁ ନ ହୋଇ ବନ୍ଧୁ ହେବା ଉଚିତ। ପରସ୍ପରକୁ ବିରୋଧ ନ କରି ସହଯୋଗ କରିବା ଦରକାର।

ସୂଚନାଯୋଗ୍ୟ, ରୁଷ-ୟୁକ୍ରେନ ଯୁଦ୍ଧ ରୋକିବାରେ ବିଫଳ ହୋଇଥିବା ଟ୍ରମ୍ପ ଭାରତ ଉପରେ ଚାପ ପକାଇ ରୁଷଠାରୁ ତୈଳ ଆମଦାନୀ ବନ୍ଦ କରିବା ଲାଗି ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। କିନ୍ତୁ ଟ୍ରମ୍ପ ତାଙ୍କ ଉଦ୍ଦେଶ୍ୟରେ ସଫଳ ନ ହେବାରୁ ପୁନର୍ବାର ୟୁରୋପୀୟ ଦେଶଗୁଡ଼ିକୁ ଭାରତ ଉପରେ ଶୁଳ୍କ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ସାମ୍ପ୍ରତିକ ସ୍ଥିତିରେ ତାହା ବି ସଫଳ ହେବା ସମ୍ଭବ ନୁହେଁ। ତେଣୁ ଭାରତଠାରୁ ଧ୍ୟାନ ହଟାଇ ଟ୍ରମ୍ପ ରୁଷର ଅନ୍ୟତମ ସହଯୋଗୀ ରାଷ୍ଟ୍ର ଚୀନକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି।

Share