Shubhamitra deepak 1068x601

ଭୁବନେଶ୍ୱର: କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ସ୍ଵାମୀ ତଥା ଅଭିଯୁକ୍ତ ଦୀପକଙ୍କଠାରୁ ଶୁଭମିତ୍ରା ୨୦ ଲକ୍ଷ ଟଙ୍କା ଦାବି କରୁଥିବା ପୁଲିସକୁ ତଥ୍ୟ ହସ୍ତଗତ ହୋଇଛି। ଉଭୟଙ୍କ ହ୍ବାଟ୍ସଆପ ଚାଟ୍‌ରୁ ଏହି ତଥ୍ୟ ଜଣାପଡ଼ିବା କୁହାଯାଉଛି।

ହତ୍ୟାକାଣ୍ଡ ପରେ ପ୍ରାଥମିକ ତଦନ୍ତରୁ ଦୀପକ ଶୁଭମିତ୍ରାଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ ଏବଂ ସେ ଫେରସ୍ତ ମାଗିବାରୁ ଦୀପକ ତାଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡ଼ିଥିଲା। ଏ ନେଇ ପୁଲିସ ବି ସ୍ପଷ୍ଟ କରିଥିଲା। କିନ୍ତୁ ଏବେ ନୂଆ ମିଳିବା ମାମଲାକୁ ଭିନ୍ନ ମୋଡ଼ ଦେଇଛି। ଶୁଭମିତ୍ରାଙ୍କ ମା’ ଦୀପକଙ୍କଠାରୁ ଏହି ଅର୍ଥ ଆଣିବାକୁ କହୁଥିଲେ ବୋଲି ପୁଲିସଠାରୁ ସୂଚନା ମିଳିଛି।

ଅନ୍ୟପଟେ ଦୀପକ ଶୁଭମିତ୍ରାଙ୍କ ନାମରେ ବୀମା କରାଇଥିବା ଜଣାପଡ଼ିଛି। ହତ୍ୟା କଲେ ବୀମା ଅର୍ଥ ମିଳିବନି ବୋଲି ଦୀପକ ଜାଣିଥିଲେ। ସେପଟେ ହତ୍ୟାକାଣ୍ଡ ଦିନ ଉଭୟଙ୍କ ମଧ୍ୟରେ ୟୁନିଟ-୬ ଅଞ୍ଚଳରେ କାର ଭିତରେ ୪୦ ମିନିଟ ଧରି ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଶୁଭମିତ୍ରା ଦୀପକଙ୍କୁ ଗୋଇଠା ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୀପକ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲେ।

ସୂଚନାଯୋଗ୍ୟ, ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ନିଖୋଜ ହୋଇଯିବା ପରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଶୁଭମିତ୍ରାଙ୍କୁ ତାଙ୍କ ସ୍ଵାମୀ ଦୀପକ ରାଉତ ଭୁବନେଶ୍ଵରରେ ହତ୍ୟା କରି କେନ୍ଦୁଝରର ଘଟଗାଁ ଥାନା ଅଞ୍ଚଳରେ ପୋତି ଦେଇଥିଲେ। ପୁଲିସ ମାମଲାର ତଦନ୍ତ କରି ମୃତଦେହକୁ ଜବତ କରିବା ସହିତ ଦୀପକଙ୍କୁ ଗିରଫ କରିଥିଲା। ଦୀପକ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ଆକାଉଣ୍ଟ ସେକ୍ସନରେ କିରାଣି ଭାବେ କାର୍ଯ୍ୟରତ ଥିଲେ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଶୁଭମିତ୍ରାଙ୍କୁ ବିବାହ କରିଥିଲେ।

Share