Image 2025 12 25t084421.877

ଭୁବନେଶ୍ୱର: ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଉପସ୍ଥିତ ଥିଲେ ।

ବୈଠକର ଆଲୋଚନାରୁ ଜଣାପଡିଛି ଯେ, ଆଜି ପର୍ଯ୍ୟନ୍ତ ରାଜ୍ୟର ୧୨ଟି ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଚାଲୁ ରହିଛି ଏବଂ ୧୭ଟି ଜିଲ୍ଲାରେ ଟୋକନ ପ୍ରଦାନ କରାଯାଇଛି। ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଆଉ ୫ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ୧୦ ଜାନୁଆରୀ ୨୦୨୬ ମଧ୍ୟରେ ସବୁ ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୧୧ ହଜାର ୧୨୮ ଜଣ କୃଷକ ତାଙ୍କର ୪ ଲକ୍ଷ ୯୭ ହଜାର ୫୯୪ ମେଟ୍ରିକ୍ ଟନ୍ (MT) ଧାନ ବିକ୍ରୟ କରିପାରିଛନ୍ତି । ଏପର୍ଯ୍ୟନ୍ତ ଏଥିପାଇଁ ପ୍ରାୟ ୧୦୫୬.୦୮ କୋଟି ଟଙ୍କାର ଅର୍ଥପ୍ରଦାନ କରାଯାଇଛି।

ବୈଠକରେ ଧାନ ସଂଗ୍ରହରେ ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ୱନ ହେବ ଏବଂ କୌଣସି ପରିସ୍ଥିତିରେ ଚାଷୀମାନଙ୍କ ହକ୍‌ ଉପରେ ଆଞ୍ଚ୍ ନ ଆସିବ, ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମିଲର୍‌ ମାନେ ଯେପରି ଚାଷୀମାନଙ୍କ ଠାରୁ ଠିକ୍ ଭାବରେ ଧାନ ସଂଗ୍ରହ କରିବେ ଏବଂ ଚାଷୀମାନେ ଯେପରି ଠିକ୍ ସମୟରେ ତାଙ୍କ ପ୍ରାପ୍ୟ ପାଇବେ ସେଥିପ୍ରତି ଶତପ୍ରତିଶତ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକରେ ଅଣଧାନ ଫସଲ ସଂଗ୍ରହ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ବିଶେଷକରି ମାଣ୍ଡିଆ, ଡାଲି ଜାତୀୟ ଫସଲ ଓ ତୈଳବୀଜ ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କ୍ୟାବିନେଟ ମନ୍ତ୍ରୀଗଣ ଏବଂ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

Share