Files combo iran us israel conflict 0 1750243584206 1750243597946

ୱାଶିଂଟନ: ଡଲାର ତୁଳନାରେ ଇରାନ ମୁଦ୍ରା ରିଆଲର ବିନିମୟ ମୂଲ୍ୟ ସବୁଠାରୁ ନିମ୍ନସ୍ତରରେ ପହଞ୍ଚିଥିବାରୁ ଇରାନରେ ବିଗତ କିଛି ଦିନ ହେଲା ଜୋରଦାର ବିକ୍ଷୋଭ ପ୍ରଦର୍ଶିତ ହେଉଛି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାନ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଥିରେ ୧୦ ବିକ୍ଷୋଭକାରୀ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡା ଧମକ ଦେଇଛନ୍ତି। ଯଦି ଇରାନ ସରକାର ବିକ୍ଷୋଭକାରୀଙ୍କ ଉପରେ ଚାଲିଥିବା ଆକ୍ରମଣ ବନ୍ଦ ନ କରନ୍ତିି, ତେବେ ଆମେରିକା ହସ୍ତକ୍ଷେପ କରିବାକୁ ବାଧ୍ୟ ହେବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ଗୋଟିଏ ଆମେରିକାର ଡଲାରର ବିନିମୟ ମୂଲ୍ୟ ଇରାନ ମୁଦ୍ରାରେ ୪୨,୧୨୫ ରିଆଲ। ପୁନଶ୍ଚ ଇରାନର ମୁଦ୍ରାସ୍ଫୀତି ଗତ ଡିସେମ୍ବରରେ ସର୍ବାଧିକ ୪୨.୫ ପ୍ରତିଶତ ଛୁଇଁଛି। ଏହି ପରିସ୍ଥିତିରେ ରିଆଲ ମୂଲ୍ୟ ହ୍ରାସ ପାଇବା ସ୍ବାଭାବିକ। ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଥିବାରୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଏହା ବିରୋଧରେ ବିଭିନ୍ନ ପ୍ରକାର କଟକଣା ଲାଗୁ କରିସାରିଛନ୍ତି। ଗତବର୍ଷ ଜୁନରେ ଇରାନ ଓ ଇସ୍ରାଏଲ ମଧ୍ୟରେ ୧୨ ଦିନ ଯୁଦ୍ଧ ଲାଗି ରହିବାରୁ ଘରୋଇ ସ୍ଥିତି ବିପନ୍ନ ହୋଇପଡିଥିଲା। ରିଆଲ ମୂଲ୍ୟ ହ୍ରାସ ପାଇବାପରେ ଗତ ରବିବାର ସହସ୍ରାଧିକ ନାଗରିକ ରାଜଧାନୀ ତେହେରାନର ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧୦ଟି ବିଶ୍ବବିଦ୍ୟାଳୟର ଛାତ୍ରମାନେ ଯୋଗଦେବାରୁ ବିକ୍ଷୋଭ ଜୋରଦାର ହେବାରେ ଲାଗିଥିଲା। ବିକ୍ଷୋଭକାରୀମାନେ ପୁଲିସ ଓ ସୁରକ୍ଷା କର୍ମୀଙ୍କ ଉପରକୁ ଟେକାପଥର ମାଡ କରିବା ସହ ବିଭିନ୍ନ ଦୋକାନ, ଯାନ ବାହନରେ ନିଆଁ ଲଗାଇ ଦେଇଛନ୍ତି। ଏହି ବିକ୍ଷୋଭ ବର୍ତ୍ତମାନ ତେହେରାନ ବ୍ୟତୀତ ଇରାନର ଅନ୍ୟ ସହରକୁ ବ୍ୟାପିବାରେ ଲାଗିଛି। ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିବାକୁ ଇରାନ ରା​‌ଷ୍ଟ୍ରପତି ମାସୁଦ ପେଜେସ୍‌କିଆନ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ସେମାନେ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତିି।

Share