ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ସନ୍ତୁଳିତ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ଆଜି ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ କ୍ଲଷ୍ଟର ଏବଂ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟରକୁ ଦୁଇଟି ପୃଥକ ‘ସିଟି ଇକୋନୋମିକ ରିଜିୟନ’ ଭାବରେ ବିକଶିତ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଓଡ଼ିଶାର ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର (ବିସିପିପିଇଆର) ମଡେଲରେ ଏହି ଇକୋନୋମିକ ରିଜିୟନ ଗଠନ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।
ଶ୍ରୀ ପ୍ରଧାନ ନିଜ ପତ୍ରରେ ପ୍ରଥମତଃ ଦର୍ଶାଇଛନ୍ତି ଯେ, ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ ଅଞ୍ଚଳ ହୀରାକୁଦ ବନ୍ଧ ସହ ମହାନଦୀ ଓ ବ୍ରାହ୍ମଣୀ କୂଳରେ ଅବସ୍ଥିତ । ଏଠାରେ ପ୍ରଚୁର ଖଣିଜ ସମ୍ପଦ, ଶିଳ୍ପ ଭିତ୍ତିଭୂମି ରହିଛି । ବିବିଧ ପର୍ଯ୍ୟଟନ ସମ୍ଭାବନାରେ ପରିପୂର୍ଣ୍ଣ ଏହି କ୍ଲଷ୍ଟରରେ କୃଷି, ସେବା ଏବଂ ଉତ୍ପାଦନ କ୍ଷେତ୍ରକୁ ସଡ଼କ, ରେଳ ଏବଂ ବିମାନ ସଂଯୋଗୀକରଣ ମାଧ୍ୟମରେ ଅଭିବୃଦ୍ଧି କରିବାର କ୍ଷମତା ରହିଛି । ଏଠାରେ ଇସ୍ପାତ, ଆଲୁମିନିୟମ, କୋଇଲା ଏବଂ ଶକ୍ତି ଭଳି ବୃହତ ଶିଳ୍ପ ସହିତ କୃଷି ଭିତ୍ତିକ ଶିଳ୍ପ ଏବଂ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ହସ୍ତତନ୍ତର ସୁଦୃଢ଼ ଭିତ୍ତିଭୂମି ରହିଛି । ଏହି ସବୁ କ୍ଷେତ୍ର ମିଶି ଏଠାରେ ଏକ ସମନ୍ୱିତ ଆର୍ଥିକ ପରିବେଶ ସୃଷ୍ଟି କରୁଛନ୍ତି, ଯାହା ଆଗାମୀ ଦିନରେ ନୂତନ ନିଯୁକ୍ତି ଏବଂ ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଅନେକ ସୁଯୋଗ ଆଣିଦେବ।
ଏନଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ଭିସୁଟ ବୁର୍ଲା ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଯୋଗୁଁ ଏହା ଆଧୁନିକ ଜ୍ଞାନକୌଶଳ, ନବସୃଜନ ଏବଂ ନୂଆ ନୂଆ ଷ୍ଟାର୍ଟଅପ୍ କ୍ଷେତ୍ରରେ ‘ନ୍ୟୁ ଏଜ୍ ଇକୋନୋମୀ’ର ଏକ କେନ୍ଦ୍ରବିନ୍ଦୁ ଭାବରେ ସ୍ଥାପିତ କରୁଛି । ଭୌଗୋଳିକ ଦୃଷ୍ଟିକୋଣରୁ ମଧ୍ୟ ଏହି ଅଞ୍ଚଳର ସ୍ଥିତି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହା ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାକୁ ଲାଗି ରହିଥିବା ବେଳେ ତିନୋଟି ରାଜ୍ୟର ରାଜଧାନୀ ଯଥା ଭୁବନେଶ୍ୱର, ରାୟପୁର, ରାଞ୍ଚି ଏବଂ ବଡ଼ ବନ୍ଦର ସହର ବିଶାଖାପାଟଣାର ୩୦୦ କିଲୋମିଟର ପରିଧି ମଧ୍ୟରେ ଅବସ୍ଥିତ । ଏହି ଉତ୍ତମ ସଂଯୋଗୀକରଣ ଏବଂ ପ୍ରଚୁର ସମ୍ପଦ ଯୋଗୁଁ ଏହାକୁ ଏକ ‘ସିଟି ଇକୋନୋମିକ ରିଜିୟନ’ ଭାବେ ଗଢ଼ିବା ପାଇଁ ସବୁ ପ୍ରକାର ଯୋଗ୍ୟତା ରହିଛି । ଏଠାରେ ସଡ଼କ ଓ ରେଳପଥ ସହ ଝାରସୁଗୁଡ଼ା (ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର), ରାଉରକେଲା, ସମ୍ବଲପୁର (ଜମାଦାରପାଲି) ଏବଂ ବରଗଡ଼ (ସତିଭଟା)ର ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଅଞ୍ଚଳରେ ଥିବା ଦେବ୍ରିଗଡ, ଭୀମମଣ୍ଡଳୀ, ବେଦବ୍ୟାସ, ଖଣ୍ଡାଧାର ପ୍ରଧାନପାଟ ଭଳି ପର୍ଯ୍ୟଟନର ଯଥେଷ୍ଟ ସମ୍ଭାବନା ରଖୁଛି।
ଅନୁରୂପ ଭାବେ ଦ୍ୱିତୀୟତଃ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ଅନୁଗୋଳ-ଢେଙ୍କାନାଳ ରିଜିୟନ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସାରା ଭାରତର ଆର୍ଥିକ ପ୍ରଗତି ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ଠିକ୍ ମଝି ଭାଗରେ ଅବସ୍ଥିତ ଏହି ଅଞ୍ଚଳ ଉପକୂଳର ବନ୍ଦର ଏବଂ ଖଣିଜ ସମୃଦ୍ଧ ପଶ୍ଚିମାଞ୍ଚଳକୁ ଯୋଡ଼ିବା ପାଇଁ ଏକ ମୁଖ୍ୟ ରାସ୍ତା ବା ପ୍ରବେଶ ପଥ ସଦୃଶ । ଏଠାରେ ପ୍ରଚୁର ପରିମାଣରେ କୋଇଲା, କ୍ରୋମାଇଟ୍ ଏବଂ ଲୁହା ପଥର ମିଳୁଥିବାରୁ ଏହା ଭାରୀ ଶିଳ୍ପ, ନୂତନ କାରଖାନା ଏବଂ ସୌର ଶକ୍ତି ଭଳି ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ । ଅନୁଗୋଳରେ ଥିବା ନାଲକୋ, ଏନଟିପିସି କଣିହାଁ, ତାଳଚେରର ତାପଜ ବିଦ୍ୟୁତ କେନ୍ଦ୍ର ଏବଂ ମହାନଦୀ କୋଲଫିଲ୍ଡସ (ଏମସିଏଲ) ଭଳି ବଡ଼ ବଡ଼ ଅନୁଷ୍ଠାନ ରାଜ୍ୟକୁ ବିଦ୍ୟୁତ୍ ଓ ଶକ୍ତି ଯୋଗାଇବାରେ ମେରୁଦଣ୍ଡ ସାଜିଛନ୍ତି । ଅନୁଗୋଳ-ଢେଙ୍କାନାଳ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ଦେଇ ନିକଟରେ ଘୋଷଣା କରାଯାଇଥିବା ୫ ନମ୍ବର ଜାତୀୟ ଜଳପଥ ପରିବହନ କ୍ଷେତ୍ରରେ ବିପ୍ଳବ ଆଣିବ । ଏହା ତାଳଚେର, କଳିଙ୍ଗନଗର ଓ ପାରାଦୀପ ମଧ୍ୟରେ ଖଣିଜ ଦ୍ରବ୍ୟର ଶସ୍ତା ପରିବହନ ପାଇଁ ରାସ୍ତା ଫିଟାଇବ । ଏହାବ୍ୟତୀତ ଢେଙ୍କାନାଳରେ ଇସ୍ପାତ ଏବଂ ପ୍ରତିରକ୍ଷା ସାମଗ୍ରୀ ତିଆରି କ୍ଷେତ୍ରରେ ନୂଆ ନୂଆ ପୁଞ୍ଜିନିବେଶ ହେଉଛି, ଯାହା ଶିଳ୍ପାୟନକୁ ଆଗକୁ ବଢାଇବାରେ ସହାୟକ ହୋଇଛି । ଅଞ୍ଚଳରେ ଆଇଜିଆଇଟି, ସାରଙ୍ଗ ଏବଂ ଅନୁଗୋଳର ସ୍କିଲ୍ ଇଣ୍ଡିଆ ସେଣ୍ଟର ଯୁବକମାନଙ୍କୁ କାମ ପାଇଁ ଦକ୍ଷ କରୁଛି । ଏହା ସହିତ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ, କପିଳାସ ଓ ସପ୍ତଶଯ୍ୟାଭଳି ସୁନ୍ଦର ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ସ୍ଥାୟୀ ଅର୍ଥନୈତିକ ବିକାଶ ପାଇଁ ସୁଯୋଗ ପ୍ରଦାନ କରୁଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ ଓ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟର ରାଜ୍ୟର ମୋଟ ଜିଏସଡିପିରେ ୨୬ % ରୁ ଅଧିକ ଯୋଗଦାନ ରଖୁଛି । ଏହି ଅଞ୍ଚଳରେ ଜିସିସି ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ବସ୍ତ୍ର ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ (ବିଶେଷ କରି ଲଘୁ ବନଜାତ ଦ୍ରବ୍ୟ ଭିତ୍ତିକ) କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶର ସୁଯୋଗ ରହିଛି। ଏହା ସହିତ ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଏହି ନୂତନ କରିଡରଗୁଡ଼ିକର ବିକାଶ କରାଗଲେ, ଏହା ଶିଳ୍ପାୟନ ଓ ବ୍ୟବସ୍ଥିତ ସହରୀକରଣ ମାଧ୍ୟମରେ ରାଜ୍ୟର ସମୃଦ୍ଧି ଏବଂ ଜନସାଧାରଣଙ୍କ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବାରେ ଏକ ମୁଖ୍ୟ ଆଧାର ସାଜିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ପରିକଳ୍ପନା ଅନୁଯାୟୀ ଓଡ଼ିଶାର ପ୍ରତିଟି ଅଞ୍ଚଳର ବିକାଶ ଜରୁରୀ । ଏହି ଦୁଇଟି ନୂତନ ଇକୋନୋମିକ ରିଜିୟନ ଗଠନ ହେଲେ ଶିଳ୍ପାୟନକୁ ବଡ଼ ଗତି ମିଳିବା ସହ ହଜାର ହଜାର ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ରାଜ୍ୟ ଓ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହି ପ୍ରସ୍ତାବ ସମ୍ବନ୍ଧୀୟ ଏକ ବିସ୍ତୃତ ‘କନସେପ୍ଟ ନୋଟ୍’ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

