ନୂଆଦିଲ୍ଲୀ: ଇଟାଲୀରେ ୨ ଜଣ ଭାରତୀୟଙ୍କୁ ହତ୍ୟା । ଇଟାଲୀର ବେରଗାମୋ ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ବୈଶାଖୀ ପର୍ବ ପାଇଁ ଗୁରୁଦ୍ୱାରରେ ଏକତ୍ରିତ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ଦୁଇଜଣ ହେଲେ ୪୮ ବର୍ଷୀୟ ରାଜିନ୍ଦର ସିଂ ଏବଂ ଗୁରମିତ ସିଂ। ରାତି ପ୍ରାୟ ୧୨ଟା ବେଳେ ‘ମାତା ସାହେବ କୌର ଜୀ’ ଗୁରୁଦ୍ୱାର ବାହାରେ ଏହି ଆକ୍ରମଣ ହୋଇଥିଲା ।
ଜଣେ ଦୁର୍ବୃତ୍ତ ହଠାତ୍ ସେମାନଙ୍କ ନିକଟକୁ ଆସି ଅତର୍କିତ ଗୁଳିଚାଳନା କରିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣାସ୍ଥଳରୁ ପ୍ରାୟ ୧୦ଟି ଗୁଳିର ଖୋକା ଜବତ କରାଯାଇଛି। ଗୁଳି କରିବା ପରେ ଦୁର୍ବୃତ୍ତଜଣକ ଏକ ଗାଡ଼ିରେ ଫେରାର ହୋଇଯାଇଥିଲା। ସେ ମଧ୍ୟ ଜଣେ ଭାରତୀୟ ବୋଲି ସନ୍ଦେହ କରାଯାଉଛି। ଇଟାଲୀ ପୋଲିସ ଏହାକୁ ଏକ ପୂର୍ବ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛି।
ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ଏହା କୌଣସି ବ୍ୟକ୍ତିଗତ ଶତ୍ରୁତା କିମ୍ବା ଗୋଷ୍ଠୀ କନ୍ଦଳରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ରାଜିନ୍ଦର ସିଂ ପୂର୍ବରୁ ଗୁରୁଦ୍ୱାରର ସଭାପତି ଥିଲେ ଏବଂ ଭାରତୀୟ ଦୂତାବାସ ସହ ତାଙ୍କର ସୁସମ୍ପର୍କ ଥିଲା। ଏହି ଘଟଣା ପରେ ଇଟାଲୀରେ ରହୁଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଭୟ ଓ ଶୋକର ଛାୟା ଖେଳିଯାଇଛି। ଇଟାଲୀରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ ପୋଲିସ ଏବଂ ମୃତକଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି। ବୈଶାଖୀ ପର୍ବ ପୂର୍ବରୁ ଏହି ଦୁଃଖଦ ଘଟଣା ସ୍ଥାନୀୟ ଶିଖ୍ ସମ୍ପ୍ରଦାୟଙ୍କୁ ମର୍ମାହତ କରିଛି।

